ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି । ପିଲାଙ୍କ ସହ ଉଠାଇଲେ ଫଟୋ । ସହପାଠୀଙ୍କୁ ଭେଟି ମନେ ପକାଇଲେ ପୁରୁଣା ସ୍ମୃତି ।

87

କନକ ବ୍ୟୁରୋ: ଯେଉଁ ସ୍କୁଲରେ ଦିନେ ସେ ଦିନେ ଛାତ୍ରୀ ଥିଲେ, ପାଠ ପଢ଼ୁଥିଲେ, ସାଙ୍ଗଙ୍କ ସହ ଖେଳୁଥିଲେ, ଆଜି ସେଠାରେ ଦେଶର ପ୍ରଥମ ନାଗରିକ ଭାବେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଧାନୀର ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ମହାମହିମ ପିଲା ଓ କର୍ମଚାରୀଙ୍କ ସହ ଫଟୋ ଉଠାଇଛନ୍ତି । ପିଲାଦିନ ସାଙ୍ଗଙ୍କ ସହ କଥାହୋଇଛନ୍ତି ଆଉ ପୁରୁଣା ଦିନର ସ୍ମୃତିକୁ ମନେପକାଇଛନ୍ତି ।

ତେବେ ଏପରି ସୁଯୋଗ ଖୁବ କମ୍ ପିଲାମାନଙ୍କ ଜୀବନରେ ଆସିଥାଏ, ଯେତେବେଳେ ଭାରତର ରାଷ୍ଟ୍ରପତି ସେମାନଙ୍କ ସହ ଫଟୋ ଉଠାନ୍ତି । ଆଉ ଗର୍ବର ସହ ସେମାନେ କହିପାରନ୍ତି, ରାଷ୍ଟ୍ରପତି ଯେଉଁ ସ୍କୁଲରେ ପାଠ ପଢ଼ୁଥିଲେ, ସେମାନେ ବି ସେହି ସ୍କୁଲରେ ପାଠ ପଢୁଛନ୍ତି । ଆଜି ଭୁବନେଶ୍ୱର ୟୁନିଟ୍-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ସେହି ଅବସର ଜୁଟିଥିଲା ।

ଦୃଶ୍ୟ ନମ୍ବର – ୧

ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପହଁଚିଥିଲେ ଆଦ୍ୟ ଜୀବନର ମୂଳଦୁଆ ପଡିଥିବା ୟୁନିଟ୍-୨ ଗାର୍ଲସ ହାଇସ୍କୁଲରେ । ସାନ୍ତାଳି ଗୀତର ତାଳେ ତାଳେ ନାଚ ପରିବେଷଣ କରି ମହାମହିମଙ୍କୁ ସ୍ୱାଗତ କରିଥିଲେ ଛାତ୍ରୀମାନେ । ପିଲାମାନଙ୍କ ନାଚ,ଗୀତ ଦେଖି ମଞ୍ଚ ଉପରକୁ ଯାଇ ସେମାନଙ୍କ ସହ ଫଟୋ ଉଠାଇଥିଲେ ରାଷ୍ଟ୍ରପତି । ଭଲ ପାଠ ପଢ଼ିବା ସହ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ ମହାମହିମ । ରାଷ୍ଟ୍ରପତିଙ୍କୁ ପାଖରେ ପାଇ ପିଲାମାନଙ୍କ ମନ କୁଣ୍ଢେମୋଟ ହୋଇ ଯାଇଥିଲା ।

ଦୃଶ୍ୟ ନମ୍ବର – ୨

ୟୁନିଟ-୨ ଗାର୍ଲସ ହାଇସ୍କୁଲର କୁନ୍ତଳା କୁମାରୀ ସାବତ ହଷ୍ଟେଲ । ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ଏଇଠି ରହି ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ରାଷ୍ଟ୍ରପତି । ହଷ୍ଟେଲରେ ସେହି ପୁରୁଣା ଦିନର ଅଭୁଲା ସ୍ମୃତି ମନେପକାଇଥିଲେ ଦୌପ୍ରଦୀ ମୁର୍ମୁ । ପୁରୁଣା ଫଟୋ ଦେଖି ହୋଇ ପଡିଥିଲେ ଭାବବିହ୍ୱଳ । ସାଙ୍ଗମାନଙ୍କୁ ଭେଟିବା ସହ କର୍ମଚାରୀଙ୍କ ସହ କଥା ହୋଇଥିଲେ । ଆଉ ସେମାନଙ୍କ ସହ ଫଟୋ ଉଠାଇ କିଛି ସମୟ କଥା ହୋଇଥିଲେ ରାଷ୍ଟ୍ରପତି ।

ଦୃଶ୍ୟ ନମ୍ବର – ୩

କୁନ୍ତଳା କୁମାରୀ ସାବତ ହଷ୍ଟେଲରେ ବୃକ୍ଷରୋପଣ କରିଥିଲେ ମହାମହିମ । ଯେଉଁ ସ୍କୁଲରେ ପାଠ ପଢିଥିଲେ, ଯେଉଁ ହଷ୍ଟେଲରେ ରହୁଥିଲେ, ସେହି ସ୍ଥାନରେ କିଛି ସମୟ କାଟିବା ରାଷ୍ଟ୍ରପତିଙ୍କ ମନରେ ଯେତିକି ଉତ୍ସାହ ଦେଖିବାକୁ ମିଳିଥିଲା, ମହାମହିମଙ୍କୁ ପାଖରେ ପାଇ, ତାଙ୍କ ସହ କଥା ହୋଇ ସେତିକି ଆତ୍ମବିଭୋର ହୋଇ ଉଠିଥିଲେ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ପିଲାମାନେ ।

ଦୃଶ୍ୟ ନମ୍ବର – ୪

ଖଣ୍ଡଗିରିରେ ଥିବା ତପୋବନ ହାଇସ୍କୁଲରେ ପହଁଚିଥିଲେ ମହାମହିମ । ପୁରାତନ ଛାତ୍ରଛାତ୍ରୀଙ୍କ ସହ ସ୍କୁଲ ପିଲାଙ୍କୁ ଭେଟିଥିଲେ ରାଷ୍ଟ୍ରପତି । ଭାରତର ପ୍ରଥମ ନାଗରିକଙ୍କୁ ଦିଆଯାଇଥିଲା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ପିଲାଙ୍କ ସହ ଭାବବିନିମୟ କରିଥିବା ବେଳେ ତାଙ୍କର କେହି ରୋଲ୍ ମଡେଲ ନଥିବା କହିଛନ୍ତି ରାଷ୍ଟ୍ରପତି । କହିଥିଲେ, ଜେଜେ ମାଆ ଥିଲେ ତାଙ୍କ ପାଇଁ ସବୁକିଛି । ଜେଜେମା’ଙ୍କ ପ୍ରେରଣାରେ ସାହସୀ ହୋଇ ପାରିଥିବା କହିଛନ୍ତି ଦୌପ୍ରଦୀ ମୁର୍ମୁ । ନିଜ ନିଜ ଲକ୍ଷ୍ୟ ହାସଲ ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ।

ଦୃଶ୍ୟ ନମ୍ବର – ୫

ଜୟଦେବ ଭବନକୁ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଫଟୋଚିତ୍ର ଧରି କିଛି ପିଲା ଛିଡା ହୋଇଥିବା ଦେଖିଥିଲେ ରାଷ୍ଟ୍ରପତି । ପିଲାମାନଙ୍କ ପ୍ରତି ତାଙ୍କର ଭଲ ପାଇବା ପୁଣି ଥରେ ଦେଖିବାକୁ ମିଳିଥିଲା । କାରକେଡ୍ ଅଟକାଇ ପିଲାମାନଙ୍କ ପାଖକୁ ଯାଇ କିଛି ସମୟ କଥା ହେବା ପରେ ସେମାନଙ୍କୁ ଚକୋଲେଟ୍ ଦେଇଥିଲେ ମହାମହିମ ।

ତେବେ ଦୁଇ ଦିନିଆ ଗସ୍ତ ସାରି ଦିଲ୍ଲୀ ଫେରିଯାଇଛନ୍ତି ରାଷ୍ଟ୍ରପତି । ତାଙ୍କୁ ବିଦାୟ ଦେବାକୁ ବିମାନବନ୍ଦରରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଯେତିକି ଘଟଣା ବହୁଳ ଥିଲା, ସେତିକି ଥିଲା ଅବିସ୍ମରଣୀୟ ।