କନକ ବ୍ୟୁରୋ: ଜନ୍ମରୁ ଦିବ୍ୟାଙ୍ଗ ହୋଇ ମଧ୍ୟ ହାର ମାନିନାହାନ୍ତି ଭାଇଭଉଣୀ । ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଦକ୍ଷତାକୁ ପ୍ରମାଣ କରିଛନ୍ତି ଦୁଇ ଭାଇ ଭଉଣୀ ସାଗରିକା ଓ ସତ୍ୟବ୍ରତ । ମହାମହିମ ରଷ୍ଟ୍ରପତିଙ୍କ ସାମ୍ନାରେ ରଙ୍ଗବତୀ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରି ପ୍ରଶଂସା ସାଉଁଟିଛନ୍ତି ।

Advertisment

ଯାଜପୁର ଝାଲପଡା ଗାଁର ଦିବ୍ୟାଙ୍ଗ ଭାଇ ଭଉଣୀ ସାଗରିକା ଓ ସତ୍ୟବ୍ରତ ମହାମହିମଙ୍କ ସାମ୍ନାରେ ନୃତ୍ୟ ପରିବେଷଣ କରିଛନ୍ତି । ଗତ ୨୬ ତାରିଖରେ ପରିବେଷଣ ହୋଇଥିବା ନାଚ ଦେଖି ରାଷ୍ଟ୍ରପତିଙ୍କ ଆଖି ଲୁହରେ ଭିଜି ଯାଇଥିଲା । ନୃତ୍ୟ ପରିବେଷଣ ସରିବା ପରେ ଦୁଇ ଦିବ୍ୟାଙ୍ଗ ଭାଇ-ଭଉଣୀଙ୍କୁ ପାଖକୁ ଡାକି ବେଶ୍ ପ୍ରଶଂସା କରିବା ସହ ଆଶୀର୍ବାଦ କରିଥିଲେ ବୋଲି କହିଛନ୍ତି ନୃତ୍ୟ ଶିଳ୍ପୀ ସତ୍ୟବ୍ରତ ଓ ସାଗରିକା ।

ଯାଜପୁର ଝାଲପଡା ଗାଁର ଏହି ଭାଇ-ଭଉଣୀ ଦୁଇ ଜଣ ଅନ୍ୟମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ । ଉଚ୍ଚତାରେ ଛୋଟ ହୋଇଥିବାରୁ ପିଲାଟି ଦିନରୁ ଅନେକ କିଛି ଶୁଣିବାକୁ ମିଳିଛି । ସାଇକେଲରେ ଘୁଗୁନି ବିକି ବାପା ପିଲାମାନଙ୍କୁ ବଡ କରିଛନ୍ତି । ବାପା-ମାଆଙ୍କ ସହଯୋଗରେ ପାଠ ସହ ନୃତ୍ୟ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସିଢ଼ି ସଫଳତାର ଚଢୁଛନ୍ତି । ୨୦୧୯ରେ ସଂସଦ ଭବନରେ ନୃତ୍ୟ ପରିବେଷଣ କରି ପ୍ରଶଂସା ସାଉଁଟିଥିଲେ । ଆଉ ଏଇ ନିକଟରେ ଫେବୃଆରୀ ୨୬ରେ ରାଷ୍ଟ୍ରପତି ଭବନରେ ରଙ୍ଗବତୀ ଗୀତରେ ନାଚି ମହାମହିମଙ୍କ ମନ ଜିଣିଛନ୍ତି ସତ୍ୟବ୍ରତ ଓ ସାଗରିକା ।

ସତ୍ୟବ୍ରତ ସାଗରିକାଙ୍କ ଉଦ୍ୟମ ଯୋଗୁଁ ଆଜି ସେମାନଙ୍କ ଘରର ଚିତ୍ର ବଦଳିଯାଇଛି । ଚାଳ ଘର କୋଠାରେ ପରିଣତ ହେବା ସହ ମିଳିଛି ଅନେକ ଅନୁଷ୍ଠାନରୁ ପ୍ରଶଂସା । ନିଜସ୍ୱ ଉଦ୍ୟମରେ ଘରେ ସତ୍ୟବ୍ରତ ଡାନ୍ସ ଓ କଲଚରାଲ ଏକାଡେମୀ ପ୍ରତିଷ୍ଠା କରି ପିଲାମାନଙ୍କୁ ନୃତ୍ୟ ଶିକ୍ଷା ଦେଉଛନ୍ତି ।