ଓଡ଼ିଆ ଭାଷାରେ ପିଲା ପଢ଼ିବେ ଇଂଜିନିୟରିଂ । ଓଡିଆରେ ଇଞ୍ଜିିନିୟରିଂ ପାଠ୍ୟପୁସ୍ତକର ପ୍ରଥମ ସଂସ୍କରଣକୁ ଉନ୍ମୋଚନ କଲେ ରାଷ୍ଟ୍ରପତି 

182

କନକ ବ୍ୟୁରୋ: ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ । ଏବେ ନିଜ ମାତୃଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ିବେ ଓଡ଼ିଆ ଛାତ୍ରଛାତ୍ରୀ । ଓଡିଆ ପିଲାଙ୍କ ପାଇଁ ଇଞ୍ଜିନିୟରିଂ ପାଠପଢ଼ାକୁ ଆହୁରି ସହଜ କରିବାକୁ, ଏଆଇସିଟିଇ ପକ୍ଷରୁ ପ୍ରସ୍ତୁତ ୨୦ଟି ପାଠ୍ୟପୁସ୍ତକକୁ ଉନ୍ମୋଚିତ କରିଛନ୍ତି ରାଷ୍ଟ୍ରପତି । ତେବେ ଓଡିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରିବା ପାଇଁ ଗତବର୍ଷ ଏଆଇସିଟିଇ ଏବଂ ଓଡିଆ ଅଧ୍ୟୟନ ଓ ଗବେଷଣା କେନ୍ଦ୍ର ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।

  • ଓଡିଆରେ ଇଞ୍ଜିିନିୟରିଂ ପାଠ୍ୟପୁସ୍ତକ ଉନ୍ମୋଚିତ
  • ପ୍ରଥମ ସଂସ୍କରଣର ଉନ୍ମୋଚନ କଲେ ମହାମହିମ 

ମହାମହିମ ଦ୍ରୌପଦୀ ମୁର୍ମୁ ଯେତେବେଳେ, ଇଞ୍ଜିନିୟରିଂ ପାଠ୍ୟପୁସ୍ତକର, ଓଡିଆ ସଂସ୍କରଣର ଉନ୍ମୋଚନ କରୁଥିଲେ, ସେତେବେଳେ ଓଡିଶା ଇଞ୍ଜିନିୟରିଂ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେଉଥିଲା ଆଉ ଏକ ନୂତନ ଅଧ୍ୟାୟ । ଓଡିଆ ପିଲାଙ୍କ ପାଇଁ ଇଞ୍ଜିନିୟରିଂ ପାଠପଢ଼ାକୁ ଆହୁରି ସହଜ କରିବାକୁ, ଏଆଇସିଟିଇ ପକ୍ଷରୁ ପ୍ରସ୍ତୁତ ୨୦ଟି ପାଠ୍ୟପୁସ୍ତକକୁ ଉନ୍ମୋଚିତ କରିଛନ୍ତି ରାଷ୍ଟ୍ରପତି । ଯେଉଁଥିରେ ରହିଛି ୯ଟି ବି-ଟେକ୍ ଓ ୧୧ଟି ଡିପ୍ଲୋମା ପାଠ୍ୟକ୍ରମ ପୁସ୍ତକ । ଇଞ୍ଜିନିୟରିଂ ବହିର ଓଡିଆ ପାଠ୍ୟପୁସ୍ତକର ଉନ୍ମୋଚନ କରି ରାଷ୍ଟ୍ରପତି କହିଛନ୍ତି, ଏହିଭଳି ପୁସ୍ତକର ଓଡ଼ିଆ ସଂସ୍କରଣ ହେବା ନିହାତି ଖୁସି ଖବର । ଶିକ୍ଷାରେ ଭାଷା ଯେଭଳି ପ୍ରତିବନ୍ଧକ ନହେଉ । ତା ଉପରେ ଗୁରୁତ୍ୱ ଦେବା ନିହାତି ଦରକାର । ଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଜଡିତ । ମାତୃଭାଷାରେ ଶିକ୍ଷା ଦେବାକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି । ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇବ ।

ଜୟଦେବ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ  ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ଭାଷାରେ ପାଠ୍ୟକ୍ରମ ପୋର୍ଟାଲ ଇ-କୁମ୍ଭର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି । ଏଥିସହ ଟେକ୍ନିକାଲ ଶବ୍ଦର ଏକ ଶବ୍ଦକୋଷର ଶୁଭାରମ୍ଭ କରିଛନ୍ତି ମହାମହିମ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,  ଓଡିଆରେ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ କେମିତି ଓଡିଆ ପିଲାଙ୍କ ପାଇଁ ଲାଭ ଦାୟକ ହେବ ।

ଓଡିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରିବା ପାଇଁ ଗତବର୍ଷ ଏଆଇସିଟିଇ ଏବଂ ଓଡିଆ ଅଧୟନ ଓ ଗବେଷଣା କେନ୍ଦ୍ର ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଆଉ ତାପରେ ଓଡିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକକୁ ଅନୁବାଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସହାୟତାରେ ବହୁ ଇଞ୍ଜିନିୟରିଂ କଷ୍ଟ ଶବ୍ଦକୁ ଓଡିଆରେ ଅନୁବାଦ କରିଛନ୍ତି ଅନୁବାଦକ । ଓଡିଆରେ ଇଞ୍ଜିନିୟରିଂ ପୁସ୍ତକ ସେମାନଙ୍କ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ମାତୃଭାଷାରେ ଶିକ୍ଷାଦାନ ଲାଗି ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଉଛନ୍ତି ସରକାର । ଆଉ ସେଥିରେ ଦେଶର ବିଭିନ୍ନ ଭାଷାରେ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ ପ୍ରକାଶ କରିବା ପାଇଁ ଯୋଜନା କରାଯାଇଛି । ମାତୃଭାଷାରେ ପାଠ୍ୟପୁସ୍ତକ ଆସିଲେ ଅପହଞ୍ଚ ଅଞ୍ଚଳରେ ପଢ଼ୁଥିବା ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପାଠ୍ୟକ୍ରମକୁ ଭଲ ଭାବରେ ବୁଝିପାରିବେ ଓ ଉପକୃତ ହେବେ ବୋଲି କୁହାଯାଉଛି ।