କନକ ବ୍ୟୁରୋ : ଦେଶର ବ୍ୟବସାୟିକ ରାଜଧାନୀ ମୁମ୍ବାଇ ଉବୁଟୁବୁ। ରବିବାର ରାତିରେ ପ୍ରବଳ ବର୍ଷା ଫଳରେ ସହରର ଅଧିକାଂଶ ସ୍ଥାନ ବୁଡି ଯାଇଛି । ରାସ୍ତାଘାଟରେ ପାଣିର ଶୁଅ ଛୁଟୁଛି। ଲୋକଙ୍କ ଘରେ ପାଣି ପଶି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବା ମୁମ୍ୱାଇ ମହାନଗର ନିଗମ କହିଛି । ଗୋଟିଏ ପଟେ ପ୍ରବଳ ବର୍ଷାର ଭୟାନକ ଚିତ୍ର, ଅନ୍ୟପଟେ ଓଡିଶା ଓ କିଛି ରାଜ୍ୟରେ ନିଅଂଟିଆ ବର୍ଷା। ପାଣିପାଗର ଏପରି ବିପରୀତ ସ୍ଥିତି, ଚିନ୍ତା ବଢାଇ ଦେଇଛି ।  ଓଡ଼ିଶାରେ ୧ ଜୁନରୁ ୮ ଜୁଲାଇ ମଧ୍ୟରେ ସ୍ୱାଭାବିକଠାରୁ ୨୬ ପ୍ରତିଶତ କମ୍ ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ୨୮୫ ଦଶମିକ ୮ ମିଲମିଟର ବର୍ଷା ହେବାକଥା, କିନ୍ତୁ ଚଳିତବର୍ଷ ୨୧୧ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ପରିବେଶ ଅସନ୍ତୁଳନର ସମ୍ୱେଦନଶୀଳ ପ୍ରସଙ୍ଗକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Advertisment

ଜଳବାୟୁ ପରିବର୍ତ୍ତନ ନେଇ ମହାମହିମଙ୍କ ଉଦବେଗ

  • ପୃଥିବୀର ୭୦ ପ୍ରତିଶତରୁ ଅଧିକ ହେଉଛି ମହାସମୁଦ୍ର
  • ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ପତ୍ତନ କ୍ରମାଗତ ବୃଦ୍ଧି ପାଉଛି
  • ଏହା ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକୁ ଜଳମଗ୍ନ କରିବା ଆଶଙ୍କା

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦୁଇଟି ଉପାୟ

ପ୍ରଥମ- ସରକାର ଓ ଅନ୍ତର୍ଜାତୀୟ ସଙ୍ଗଠନଗୁଡିକ ଏଦିଗରେ ବ୍ୟାପକ ପଦକ୍ଷେପ ନେଇପାରିବେ

ଦ୍ୱିତୀୟ- ନାଗରିକ ଭାବେ ଆମେ ସ୍ଥାନୀୟ ସ୍ତରରେ ଛୋଟଛୋଟ ପଦକ୍ଷେପ ମଧ୍ୟ ନେଇପାରିବା

ରାଷ୍ଟ୍ରପତିଙ୍କ ମତରେ ଏ ଦୁଇଟି ପଦକ୍ଷେପ ପରସ୍ପର ପରିପୂରକ। ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଆମେ ବ୍ୟକ୍ତିଗତ ଭାବରେ ସ୍ଥାନୀୟ ସ୍ତରରେ ଯଥାସାଧ୍ୟ ଉଦ୍ୟମ କରିପାରିବା ଏବଂ ପରବର୍ତ୍ତୀ ପୀଢି ପାଇଁ ଆମକୁ ଏହାକୁ କରିବାକୁ ପଡିବ ବୋଲି ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ।