କନକ ବ୍ୟୁରୋ: ମୁଁ ନୁହେଁ ଆମେ’ର ବାର୍ତା ଦେଇ ଆଦିମ ଜନଜାତିଙ୍କ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରପତି । ଓଡିଶା ଗସ୍ତର ଦ୍ୱିତୀୟ ଦିନରେ କେନ୍ଦୁଝରରେ ଜନଜାତିଙ୍କ ସହ ଆଲୋଚନା କରିବା ସହ ଧରଣୀଧର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଜାତୀୟ କର୍ମଶାଳାରେ ସାମିଲ ହୋଇଥିଲେ । ଏହାପରେ ଭୁବନେଶ୍ୱର ଉକ୍ରଳ ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବରେ ଯୋଗ ଦେଇଛନ୍ତି ।

୪ ଦିିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଆଦିମ ଜନଜାତି ଜୁଆଙ୍ଗଙ୍କ ସହ ଭାବ ବିନିମୟ କରିଛନ୍ତି ରାଷ୍ଟ୍ରପତି । ସମସ୍ତଙ୍କୁ ପାଠ ପଢ଼ିବାକୁ ଆହ୍ୱାନ ଦେବା ସହ ପାଠ ପଢ଼ି ଶିକ୍ଷିତ ହେଲେ ନିଜ ଅଂଚଳର ଉନ୍ନତି କରିବା ସହ ଦେଶର ପ୍ରଗତିରେ ସାମିଲ ହୋଇପାରିବେ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବାହ୍ନ ୧୦ଟାରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ରାଇସୁଆଁରେ ପହଂଚିବା ପରେ ସଡକ ପଥରେ ଗୋନାସିକାରେ ପହଂଚିିଥିଲେ ମହାମହିମ । ସେଠି ଜୁଆଙ୍ଗ ସଂପ୍ରଦାୟର ଲୋକଙ୍କ ସହ ଚର୍ଚ୍ଚା ଆଲୋଚନା କରିଥିଲେ ।

ଅପରାହ୍ଣରେ କେନ୍ଦୁଝର ସର୍କିଟ ହାଉସରେ ପହଂଚି ମଧ୍ୟାହ୍ନ ଭୋଜନ କରିବା ସହ କିଛି ସମୟ ବିଶ୍ରାମ ନେଇଥିଲେ । ଏହା ପରେ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଜାତୀୟ ସେମିନାରକୁ ଉଦଘାଟନ କରଥିଲେ । ଜନଜାତିଙ୍କର ଏକ ଦୁଇ ଦିନିଆପ୍ରଦର୍ଶନୀ ଏବଂ ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ ।

କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ ପ୍ରସଙ୍ଗରେ ହୋଇଥିବା ଜାତୀୟ କର୍ମଶାଳାରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ରଘୁବର ଦାସ, ଶିକ୍ଷାମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ପ୍ରମୁଖ ସାମିଲ ହୋଇଥିଲେ ।

କେନ୍ଦୁଝର ଗସ୍ତ ସାରି ଭୁବନେଶ୍ୱର ପହଂଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉକ୍ରଳ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ସାମିଲ୍ ହୋଇଥିଲେ । ଆସନ୍ତକାଲି ତଥା ଶୁକ୍ରବାର ଦିନ ମହାମହିମ ରାଷ୍ଟ୍ରପତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ କଟକରେ ବ୍ରହ୍ମକୁମାରୀ ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ୍ ହେବେ ।