ପାଟଣାରେ ପାଶୱାନଙ୍କ ହେବ ଅନ୍ତିମ ସଂସ୍କାର । ଦିଲ୍ଲୀ ବାସଭବନରେ ଦିବଙ୍ଗତ ନେତାଙ୍କ ଚାଲିଛି ଶେଷ ଦର୍ଶନ  : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶେଷ ଦର୍ଶନ କରି ଦେଲେ ଶ୍ରଦ୍ଧାଞ୍ଜଳି

264

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ପାଟନାରେ ହେବ ଅନ୍ତିମ ସଂସ୍କାର । ଆଜି ଦିଲ୍ଲୀ ସ୍ଥିତ ବାସଭବନରେ ଦିବଂଗତ ନେତାଙ୍କର ଚାଲିଛି ଅନ୍ତିମ ଦର୍ଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷ ଦର୍ଶନ କରି ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି ।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ସନ୍ତ୍ୱପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହା ସହିତ ଦିବଂଗତ ପାଶୱାନଙ୍କ ଅନ୍ତିମଦର୍ଶନ କରିଛନ୍ତି ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜପି ନଡ୍ଡା, ବିଭିନ୍ନ ଦଳର ନେତା ଓ କର୍ମୀ ।

ଅନ୍ତିମଦର୍ଶନ ପରେ ପାର୍ଥିବଶରୀରକୁ ଦିଲ୍ଲୀରୁ ପାଟନା ନିଆଯିବ । ପୈତୃକ ଗାଁରେ ହେବ ପାଶୱାନଙ୍କ ଶେଷ ସଂସ୍କାର । କେନ୍ଦ୍ର ରାଜନୀତିରେ ଏକ ବଡ ଚେହେରା ଥିଲେ ରାମବିଳାସ ପାଶୱାନ୍ । ଦୀର୍ଘ ୫ ଦଶନ୍ଧୀର ରାଜନୀତିରେ ସେ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହିତ କାମ କରିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଭିପି ସିଂଙ୍କ ଠାରୁ ଆରମ୍ଭ କରି ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଯାଏଁ କେନ୍ଦ୍ର ରାଜନୀତିରେ ରହଥିଲା ତାଙ୍କର ପ୍ରଭାବ । ୮ ଥର ସାଂସଦ ରହିଥିବା ପାଶୱାନଙ୍କ ପରଲୋକ ଜାତୀୟ ରାଜନୀତିରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ।