କନକ ବ୍ୟୁରୋ: ଅଧାରେ ରହିଗଲା କି ଆଗୁଆ ନିର୍ବାଚନ ଯୋଜନା? ଗତକାଲି ନବୀନ ନିବାସରେ ତିନିଘଣ୍ଟାର ମାରାଥନ ବୈଠକ ବସିଥିଲା । ଆଉ ଆଗୁଆ ନିର୍ବାଚନ ନେଇ ନେତାଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କୌଣସି ସଙ୍କେତ ନ ଦେବା ପରେ ଏଭଳି ଆଲୋଚନା ଆରମ୍ଭ ହୋଇଛି । କୁହାଯାଉଛି, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ଏହି ବୈଠକରେ ବିଜେଡି ଫୋକସରେ ନଥିଲା ଆଗୁଆ ନିର୍ବାଚନ । ବିଶେଷଜ୍ଞଙ୍କ କହିବା ଅନୁସାରେ, କେନ୍ଦ୍ର ସହ ବୁଝାମଣା ହୋଇନପାରିବାରୁ ଏବେ ଆଗୁଆ ନିର୍ବାଚନ ପ୍ରସଙ୍ଗକୁ ଏଡାଇଯାଉଛି ବିଜେଡି ।

Advertisment

ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ପ୍ରାୟ ତିନି ଘଣ୍ଟାର ମାରାଥନ୍ ବୈଠକ ହେଲା । ପଦଯାତ୍ରା, ପ୍ରଶିକ୍ଷଣ, ସାଂଗଠିନ ସ୍ଥିତି, ଦଳୀୟ ମନ୍ଥନ ଓ ରଣନୀତି ମଧ୍ୟ ପ୍ରସ୍ତୁତ ହେଲା । କିନ୍ତୁ ଦୀର୍ଘଦିନ ଧରି ଚାଲି ଆସୁଥିବା ବହୁ ଚର୍ଚ୍ଚିତ ଆଗୁଆ ନିର୍ବାଚନ ପ୍ରସଙ୍ଗରେ ନେତାଙ୍କୁ କୌଣସି ସଙ୍କେତ ଦେଲେନି ନବୀନ ।

  • ବଦଳି ଗଲା କି ବିଜେଡି ପ୍ଲାନ?
  • ପଛ ଘୁଞ୍ଚା ଦେଲା କି ଶାସକ ଦଳ?

ସୂଚନା ଅନୁସାରେ, ନବୀନ ନିବାସରେ ବସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକରେ ଆଗୁଆ ନିର୍ବାଚନ ଉପରେ ବିଜେଡିର ଫୋକସ୍ ନଥିଲା । ଏମିତି କି, ବିଜେଡି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ଭାବେ ସୂଚନା ଦିଆଯାଇଛି । ତେବେ ଯଦି କେନ୍ଦ୍ର ସରକାର ଆଗୁଆ ନିର୍ବାଚନକୁ ଓହ୍ଲାଇବେ, ତା ହେଲେ ବିଜେଡି ମଧ୍ୟ ସମାନ ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ । ଏହି ଗୋଟିଏ ପଦ କଥା ହିଁ ହୁଏତ, ଇସାରା ଦେଉଛି ରାଜ୍ୟରେ ଆଗୁଆ ନିର୍ବାଚନ ହେବ ନାହିଁ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନ ହିଁ, ଆଗୁଆ ନିର୍ବାଚନ ପ୍ରସଙ୍ଗକୁ ଜୋର ଦେଇଥିଲା । ଏହି ଚର୍ଚ୍ଚା ଭିତରେ ଅଚାନକ ଓଡ଼ିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଚର୍ଚ୍ଚା ହେଲା, ଆଗୁଆ ନିର୍ବାଚନ ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି ଶାହା । ବଡ଼ କଥା ହେଉଛି ଦିଲ୍ଲୀ ଯାଇ ନବୀନ, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଲା । ଏହାପରେ ରାଜ୍ୟରେ ବଡ଼ ବଡ଼ ଘୋଷଣା ହେଲା, ନୂଆ ନୂଆ ଯୋଜନା ଆସିଲା । କିନ୍ତୁ ଅଚାନକ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ବଦଳିଗଲା । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସପକ୍ଷରେ ଚର୍ଚ୍ଚା ବଢାଇଲେ ମୋଦୀ ସରକାର ।

ତେବେ ନେତାଙ୍କ ବୟାନବାଜି ଭିତରେ ପ୍ରଶ୍ନ ହେଉଛି, ଆଗୁଆ ନିର୍ବାଚନ ପାଇଁ ସବୁଜ ସଙ୍କେତ ପାଇଲେ ନାହିଁ କି ରାଜ୍ୟ ସରକାର? ରାଜନୀତି ବିଶେଷଜ୍ଞଙ୍କ କହିବା ଅନୁସାରେ, କେନ୍ଦ୍ର ସହ ରାଜ୍ୟ ସରକାରଙ୍କ ବୁଝାମଣା ହୋଇନପାରିବାରୁ ଏବେ ଆଗୁଆ ନିର୍ବାଚନ କଥାକୁ ଏଡାଇ ଯାଉଛି ଶାସକ ଦଳ । ସୂଚନାଯୋଗ୍ୟ ଯେ, ଆଗକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ରହିଛି । ଆଉ ସେପଟେ ମୋଦି ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । କୁହାଯାଉଛି, ୱାନ୍-ନେସନ୍ ୱାନ୍ ଇଲେକ୍ସନ୍ ପ୍ରସଙ୍ଗରେ ଏଥିରେ ଚର୍ଚ୍ଚା ହୋଇପାରେ । ତେବେ ଆଗକୁ ହେବ କ’ଣ? ତାର ଉତ୍ତର ଠିକଣା ସମୟରେ ମିଳିପାରେ ।