ଆଚରଣ ବିଧି ଲାଗୁ ପରେ ବି ଅନେକ ସ୍ଥାନରେ ହଟିନି ସରକାରଙ୍କ ପ୍ରଚାର ହୋର୍ଡିଂ । ନବୀନଙ୍କ ଫଟୋ ଥିବା ପୋଷ୍ଟର ଘୋଡ଼ା ଯାଉଛି, ମୋଦୀଙ୍କ ପୋଷ୍ଟର ଚିରାଯାଉଥିବା ଅଭିଯୋଗ

99

କନକ ବ୍ୟୁରୋ: ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସରକାରଙ୍କ ପୋଷ୍ଟର ଓ ହୋଡିଂ ହଟାକୁ ନେଇ ତେଜିଛି ରାଜନୀତି । କେଉଁଠି କାହାର ପୋଷ୍ଟର ହଟିଛି, କାହା ପୋଷ୍ଟର ରହିଛି… ତାକୁ ନେଇ ବିଭିନ୍ନ ଜିଲ୍ଲାରୁ ଆସିଛି ଭିନ୍ନ ଭିନ୍ନ ଚିତ୍ର । ତେବେ କେନ୍ଦୁଝରରୁ ଆସିଥିବା ଦୃଶ୍ୟ ରାଜନୀତିକୁ ଆହୁରି ରୋଚକ କରିଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ ଥିବା ହୋଡିଂକୁ ଧଳା କପଡା ଦ୍ୱାରା ଘୋଡା ଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ଚିରା ଯାଇଛି । ତୃଣମୂଳ ସ୍ତରରେ ଆରମ୍ଭ ହୋଇଥିବା ରାଜନୀତି କେବଳ ପୋଷ୍ଟରରେ ସୀମିତ ରହିନି ବରଂ ପ୍ରାର୍ଥୀ ଅପହରଣ ଦିଗକୁ ବି ସାମ୍ନାକୁ ଆଣିଛି ।

ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବା ପରେ ରାଜ୍ୟର ବିିଭିନ୍ନ ଅଞ୍ଚଳରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । କନ୍ଧମାଳ ତୁମୁଡ଼ିବନ୍ଧ ବ୍ଳକର ଗୁମା ପଞ୍ଚାୟତରେ ପ୍ରାର୍ଥୀଙ୍କୁ ଅପହରଣ ଓ ଘର ଭଙ୍ଗାରୁଜା ଅଭିଯୋଗ ଆସିଛି । ସମିତି ସଭ୍ୟ ପଦ ଲାଗି ବିଜେପି ସମର୍ôଥତ ଅନୁସୂଚିତ ଜନଜାତିର ଜଣେ ମହିଳା, ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ଛକାପଞ୍ଝା । ବିଜେଡି କର୍ମୀଙ୍କ ଘର ବିଜେପି କର୍ମୀ ଭାଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଛି । ବେଲଘର ଥାନାରେ ଦୁଇ ଦଳ ପକ୍ଷରୁ ଅଭିଯୋଗ କରାଯିବା ପରେ ଘଟଣାର ତଦନ୍ତ କରୁଛି ପୁଲିସ ।

  • ନବୀନଙ୍କ ହୋର୍ଡିଂ ଉପରେ ଧଳା କପଡ଼ା
  • ମୋଦୀଙ୍କ ଫଟୋକୁ ଚିରା ଯାଉଥିବା ଅଭିଯୋଗ

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ରାଜ୍ୟ ସରକାରଙ୍କ ପ୍ରଚାର ହୋଡିଂ ଏବେ ବି ଲାଗିଥିବା ବେଳେ ବିଭିନ୍ନ ପେଟ୍ରୋଲ ପମ୍ପରେ ଲାଗିଥିବା ହୋର୍ଡିଂକୁ ଚିରି ଦିଆଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ନବୀନଙ୍କ ଫଟୋ ଥିବା ହୋର୍ଡିଂକୁ ଢାଙ୍କି ଦେଉଛି କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋଡିଂକୁ ଚିରି ଦେଉଛି ।

ସେପଟେ କଟକ ଜିଲ୍ଲା ବଡମ୍ବା ଅଞ୍ଚଳରେ ନିର୍ବାଚନ ଆଚରଣ ବିଧିର ଖୋଲା ଉଲଙ୍ଘନ କରାଯାଉଛି । ବଡମ୍ବା ଅଞ୍ଚଳରେ ଏବେ ବି ରାଜନେତା ଓ ବିଧାୟକ, ମୁଖ୍ୟମନ୍ତ୍ରୀଙ୍କ ବଡ ବଡ ଫଟୋ ଥିବା ବ୍ୟାନର ଓ ହୋର୍ଡିଂ ଲାଗିରହିଛି । ବ୍ଲକ, ତହସିଲ, ବଡମ୍ବା ମେଡିକାଲଠୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନରୁ ପୋଷ୍ଟର ଓ ହୋଡିଂକୁ ଏବେ ବି ହଟାଯାଇନି । ସେହିପରି ପଞ୍ଚାୟତ ବିଗୁଲ ବାଜି ସାରିଥିବା ବେଳେ ଯାଜପୁର ଜିଲ୍ଲାରେ ନିର୍ବାଚନ ଆଚରଣ ବିଧିର ଖୁଲମଖୁଲା ଉଲଙ୍ଘନ କରାଯାଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରଙ୍କ ପ୍ରଚାରପ୍ରସାର ହେଉଥିବା ବ୍ୟାନର ଓ ହୋର୍ଡିଂ ଏବେ ବି ଲାଗିଥିବା ଦେଖିବାକୁ ମିଳିଛି । ତେବେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପ୍ରଚାର ବୋର୍ଡ ଲଗାଯାଇଥିବା ବେଳେ ଏହାକୁ ସଂପୂର୍ଣ୍ଣ ହଟାଯିବ ନା ଘୋଡାଇ ଦିଆଯିବ ତାକୁ ନେଇ ଦ୍ୱନ୍ଦ ଉପୁଜିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ପହଁଚିଛି ଅଭିଯୋଗ । ପେଟ୍ରୋଲ ପମ୍ପ, ରେଳ ଷ୍ଟେସନ, ଓ ଜାତୀୟ ରାଜପଥରେ ଲାଗିଥିବା କେନ୍ଦ୍ର ସରକାରଙ୍କ ପୋଷ୍ଟର , ବ୍ୟାନର ଓ ହୋର୍ଡିଂ ହଟାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ପ୍ରତିନିଧି ଦଳ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏସବୁକୁ ତୁରନ୍ତ ହଟାଇବା ପାଇଁ ଦାବି କରିଛନ୍ତି । ହେଲେ ବିଜେଡି ଅଭିଯୋଗ ପରେ ପାଲଟା ଅଭିଯୋଗ ଆଣି କମିଶନଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନାରେ ପ୍ରଚାର ପାଇଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ହୋର୍ଡିଂଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି ବିଜେପି ପ୍ରତିନିଧି ଦଳ ।