ସୀମାରେ ବଢ଼ିଲା ଶାନ୍ତିର ସମ୍ଭାବନା : ସୈନ୍ୟ ଅପସାରଣ ନେଇ ଭାରତ ଓ ଚୀନ୍ ମଧ୍ୟରେ ସହମତି ସୂଚନା; ୩ଟି ପର୍ଯ୍ୟାୟରେ ହେବ ସୈନ୍ୟ ଅପସାରଣ

49

କନକ ବ୍ୟୁରୋ : ଲଦାଖ ସୀମାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଚାଲିଥିବା ଛକାପଂଝା ଭିତରେ ଶୀଘ୍ର ସମାଧାନ ବାହାରିବାର ସମ୍ଭାବନା ଦେଖାଦେଇଛି । ପୂର୍ବ ଲଦାଖ ସେକ୍ଟରରୁ ସୈନ୍ୟ ଅପସାରଣ ପାଇଁ ଦୁଇ ଦେଶର ସେନା ସହମତି ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି  । ଅଷ୍ଟମ କର୍ପସ୍ କମାଣ୍ଡର ସ୍ତରୀୟ ବୈଠକରେ ଏନେଇ ଉଭୟ ପକ୍ଷ ସହମତ ହୋଇଥିବା କୁହାଯାଉଛି  ।

ନଭେମ୍ବର ୬ରେ ଚୁସୁଲରେ ଏହି ବୈଠକ ବସିଥିଲା । ଏଥିରେ ବରିଷ୍ଠ ସାମରିକ ଅଧିକାରୀଙ୍କ ସହ ବୈଦେଶିକ ବ୍ୟାପାର ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ଯୋଗଦେଇଥିଲେ । ସହମତି ଅନୁସାରେ ଆଗାମୀ ସପ୍ତାହରେ ତିନୋଟି ପର୍ଯ୍ୟାୟରେ ଏହି ସୈନ୍ୟ ଅପସାରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ, ଏଲଏସି ଠାରୁ ଉଭୟ ଦେଶର ସେନା ମୁତୟନ ହୋଇଥିବା ଟ୍ୟାଙ୍କ ସେଠାରୁ ଅପସାରଣ କରିବେ । ଗୋଟିଏ ଦିନ ଭିତରେ ଏହି ଟ୍ୟାଙ୍କ ଅପସାରଣ କରିବାକୁ ହେବ ।

ଦ୍ୱିତୀୟ ପର୍ଯ୍ୟାୟରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଉଭୟ ଦେଶ ନିଜ ନିଜର ସେନା ଅପସାରଣ କରିବେ । ପ୍ରତିଦିନ ୩୦ ପ୍ରତିଶତ ସେନା ଅପସାରଣ କରିବେ ଉଭୟ ଦେଶ । ଏହି ପ୍ରକ୍ରିୟା ୩ ଦିନ ଧରି ଚାଲିବ । ତୃତୀୟ ପର୍ଯ୍ୟାୟରେ ସମ୍ମୁଖ ଅଂଚଳରୁ ନିଜ ନିଜର ସେନା ହଟାଇବେ । ଏହି ସବୁ ଅପସାରଣ ପ୍ରକ୍ରିୟା ଉପରେ ନଜର ରଖିବେ ଉଭୟ ଦେଶ । ତେବେ ସୈନ୍ୟ ଅପସାରଣ ପାଇଁ ଏହି ସହମତି ଚୀନ୍ ପ୍ରକୃତରେ କେତେ ପାଳନ କରିବ ତାହା ହିଁ ମୁଖ୍ୟ ପ୍ରସଙ୍ଗ । କାରଣ ପୂର୍ବରୁ ଚୀନ୍ ପ୍ରତିଶ୍ରୁତି ପାଳନ ନକରିବାର ଏକାଧିକ ନଜର ରହିଛି ।