ସରୁନି ଦାଦନ ଦୁଃଖ: ୧୨ ଦିନ ହେଲା ମୃତ ପୁଅର ଶବ ପାଇଁ ସଂଘର୍ଷ କରୁଛି ଗରିବ ପରିବାର

81

କନକ ବ୍ୟୁରୋ: କଳାହାଣ୍ଡିରୁ ଆସିଲା ଦାଦନ ଦୁଃଖର କରୁଣ କାହାଣୀ । ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିବା ଜୟପାଟଣାର ଉମାଶଙ୍କର ଭଏଁସାଲଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପୁଅର ମୃତ୍ୟୁକୁ ୧୨ ଦିନ ବିତିଗଲା, କିନ୍ତୁ ଏପର୍ଯ୍ୟନ୍ତ ମୃତଦେହ ପହଂଚିପାରିଲାନି । ଅତି ଗରିବ ଶ୍ରେଣୀର ହୋଇଥିବାରୁ ପୁଅର ମୃତଦେହକୁ ଆଣିବାକୁ ଅକ୍ଷମ ପରିବାର ଲୋକେ । ସେଥିପାଇଁ ପ୍ରଶାସନର ସହାୟତା ଲୋଡ଼ିଛନ୍ତି ପରିବାର ଲୋକ ।

ଯେତେବେଳେ ଘରର ଏକମାତ୍ର ରୋଜଗାରିଆ ପୁଅ ଦୁଇ ପଇସା କମାଇବା ପାଇଁ ବାହାରକୁ ଯାଏ । ଆଉ ଦୁର୍ଭାଗ୍ୟବଶତଃ ସେଠାରେ ତା’ର ମୃତ୍ୟୁ ହୋଇଯାଏ । ହେଲେ ବିଡ଼ମ୍ବନାର କଥା ହେଉଛି, ପୁଅର ମୃତ୍ୟୁ ହେଉଛି, କିନ୍ତୁ ଶବ ଏପର୍ଯ୍ୟନ୍ତ ବାପା-ମା’ଙ୍କ ପାଖରେ ପହଂଚି ପାରିନାହିଁ । ଯେଉଁଥିରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଏହି ଗରିବ ବାପା-ମା’ । ଏମିତି ଏକ ଦୁଃଖଦ ଖବର ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଡକର୍ଲାକୋଟ ଗାଁ’ରୁ । ଗାଁର ଶୋଭା ଭଇଁସାଲ ଓ ଧନମତି ଭଇଁସାଲଙ୍କ ଏକମାତ୍ର ପୁଅ ଉମାଶଙ୍କର ଭଇଁସାଲ । ଅତି ଗରିବ ଶ୍ରେଣୀର ହୋଇଥିବାରୁ ଅଧିକ ରୋଜଗାର ଆଶାରେ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ ହଠାତ୍ ଦେହ ଅସୁସ୍ଥ ହେବାପରେ ହସ୍ପିଟାଲରେ ଭର୍ତି ହୋଇଥିଲେ । ଆଉ ଗତ ୯ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଯେତେବେଳେ ପୁଅର ମୃତ୍ୟୁ ଖବର ପାଇଲେ, ସେତେବେଳେ ଯେପରି ପାଦତଳୁ ମାଟି ଖସି ଯାଇଥିଲା ।

ଏହାରି ଭିତରେ ଉମାଶଙ୍କରଙ୍କ ମୃତ୍ୟୁକୁ ୧୨ ଦିନ ବିତିଯାଇଥିଲେ ବି ପୁଅର ମୃତଦେହ ଆଣିପାରି ନାହାନ୍ତି ପରିବାର ଲୋକେ । ଅନେକ ଆଶା ଓ ସ୍ୱପ୍ନ ନେଇ ଦାଦନ ଖଟିବାକୁ ଯାଇଥିବା ଉମାଶଙ୍କର ନିଜେ ଫେରି ପାରିଲେନି କି ତାଙ୍କ ମୃତଦେହ ମଧ୍ୟ ଘରକୁ ଫେରିଲାନି । ପୁଅର ଶେଷ ଦର୍ଶନ କରିବା ପାଇଁ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ପ୍ରଶାସନକୁ ମା’ ବାପା କାନ୍ଦି କାନ୍ଦି ନେହୁରା ହେଉଛନ୍ତି ।

ଉମାଶଙ୍କରଙ୍କ ଭଳି କଳାହାଣ୍ଡି ଜିଲ୍ଲାରେ କାମ ଧନ୍ଦା ନପାଇ ଅନେକ ଗରିବ ଲୋକ ଦୁଇ ପଇସା ରୋଜଗାର କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଏବଂ ସେଠାରେ ଅନେକ ଶ୍ରମିକ ନିର୍ଯ୍ୟାତନାର ଶିକାର ହୋଇ ମୃତ୍ୟୁବରଣ କରୁଥିବା ସମ୍ନାକୁ ଆସିଛି ।