କନକ ବ୍ୟୁରୋ: ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଜାରି ରହିଛି । ଏବେ ମହାନଦୀ ଜଳବିବାଦ ମାମଲା ଟ୍ରିବ୍ୟୁନାଲରେ ଅଛି । ହେଲେ ଟ୍ରିବ୍ୟୁନାଲରେ କୌଣସି ସମାଧାନ ଆସିବାକୁ ବର୍ଷ ବର୍ଷ ଲାଗିଯାଏ । ଏହି ସମୟରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଉଭୟ ରାଜ୍ୟ ଚାହିଁଲେ ସମାଧାନ ହୋଇପାରିବ । ସମନ୍ୱୟ ଅଭାବରୁ ଆଜି ଏଭଳି ପରିସ୍ଥିତି ଉପୁଜିଛି ବୋଲି କହିଛନ୍ତି । ଛତିଶଗଡ଼ ଉପ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଏବେ ଓଡ଼ିଶାରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

Advertisment

ମହାନଦୀ ଜଳ ବିବାଦ ସମାଧାନ ହୋଇ ନପାରିବା ନେଇ ଉଭୟ କଂଗ୍ରେସ ଓ ବିଜେପି ରାଜ୍ୟର ବିଜେଡି ସରକାରଙ୍କୁ ଦୋଷ ଲଦିଛନ୍ତି । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ତଥା କଂଗ୍ରେସ ନେତା ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ଯେ, ଜଳ ବିବାଦ ଯୋଗୁଁ ଓଡ଼ିଶା ହିଁ କ୍ଷତି ସହୁଛି । ତେଣୁ ଓଡ଼ିଶା ସରକାର ହିଁ ନିଜ ତରଫରୁ ଆପୋଷ ସମାଧାନ ପାଇଁ ପଦକ୍ଷେପ ନେବା ଦରକାର ।

ସେପଟେ ବିଜେପି କହିଛି ଯେ, ଓଡ଼ିଶା ସରକାର ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପର ନୁହଁନ୍ତି । ନବୀନ ପଟ୍ଟନାୟକ ଏତେବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ ବି, କାହିଁକି ସମାଧାନ ହୋଇପାରି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ବିରୋଧୀଙ୍କ ଅଭିଯୋଗ ଓ ପରାମର୍ଶ ପରେ ଜବାବ ରଖିଛି ବିଜେଡି । ଦଳୀୟ ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବ ସ୍ୱାଗତଯୋଗ୍ୟ । ହେଲେ ପ୍ରକୃତରେ କ’ଣ ପ୍ରସ୍ତାବ ରହିଛି, ତାହା ଛତିଶଗଡ଼ ସାମ୍ନାକୁ ଆଣୁ ।

ଛତିଶଗଡ଼ର ଚାଲ୍ ବାରମ୍ବାର ଓଡ଼ିଶାକୁ ଅସୁବିଧାରେ ପକାଉଛି । ଖରାଦିନରେ କଲମା ବ୍ୟାରେଜରୁ ପାଣି ଛାଡ଼ୁ ନାହିଁ, ହେଲେ ବର୍ଷାଦିନେ କଲମା ବ୍ୟାରେଜର ସବୁ ଗେଟ୍ ଖୋଲିଦେଇ ଓଡ଼ିଶାରେ ବନ୍ୟା ଆଶଙ୍କା ବଢ଼ାଇ ଦେଉଛି ।