ଶ୍ରୀମନ୍ଦିର ବାଇ-ଲ’ ପ୍ରତ୍ୟାହର ହେବା ପରେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ : ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପୁରୀ ସେବାୟତ; ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଲେ

ଆଉ ଗୋଟିଏ ଗୋଷ୍ଠୀ ସେବାୟତ

46

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ପାଇଁ ଜାରି ହୋଇଥିବା ପ୍ରସ୍ତାବିତ ଐତିହ୍ୟ ଅଧିନିୟମ (ବାଇ-ଲ’) କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି। ତେବେ ଭୁବନେଶ୍ୱରର ବ୍ରହ୍ମେଶ୍ୱର ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଜାରି ହୋଇଥିବା ଅନୁରୂପ ଅଧିନିୟମ କାଏମ୍ ରହିଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍ ଏହା ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ବାଇ-ଲ’ ପ୍ରସଙ୍ଗଟି ରାଜନୈତିକ ରୂପ ଧାରଣ କରି କେନ୍ଦ୍ର-ରାଜ୍ୟ ମଧ୍ୟରେ ଭୀଷଣ ବିବାଦ ଲାଗି କ୍ଷେତ୍ର ସୃଷ୍ଟି କରିଛି ।

ଯଦିଓ ଗତକାଲି ଏହି ପ୍ରସଙ୍ଗରେ ବିଜେଡି-ବିଜେପିର ସ୍ବର ଗୋଟିଏ ଥିଲା, ଶ୍ରେୟ ନେବା ପାଇଁ କିନ୍ତୁ ଉଭୟ କସରତ ଆରମ୍ଭ କରିବା କାରଣରୁ ମୁହାଁମୁହିଁ ସ୍ଥିତିକୁ ଆସିଗଲେଣି। ଆଜି ଶ୍ରୀମନ୍ଦିର ସେବାୟତ ଦୁଇଭାଗ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ବିଜେଡିକୁ ଶ୍ରେୟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ସାଧୁବାଦ ଜଣାଇଥିବା ବେଳେ ଅନ୍ୟ ଗୋଷ୍ଠୀ ନୂଆଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ବି ବିଜେପିର ଶୀର୍ଷନେତା ଭେଟି ଧନ୍ୟବାଦ ଦେଇଛନ୍ତି । ଏହି ପ୍ରସଙ୍ଗଟି କିନ୍ତୁ ଏତିକିରେ ସୀମିତ ନାହିଁ। ଏଇଥିପାଇଁ ଯେ ପୁରୀ ମନ୍ଦିର ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଚିଠି ଲେଖିଥିଲା ଓ ଏହି ଅଧିନିୟମ ବାତିଲ୍ ହେଲା। ଦେବୋତ୍ତର କମିସନ ସିଆର୍ ମହାପାତ୍ର ମଧ୍ୟ ଭୁବନେଶ୍ବର ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏନଏମ୍‌ଏର ସଦସ୍ୟ ସଚିବଙ୍କୁ ଚିଠି ଲେଖିଥିଲେ । ଯାହାକୁ କେନ୍ଦ୍ର ଗ୍ରହଣ କରିନାହିଁ ।

ଏବେ ପ୍ରଶ୍ନ ଉଠୁଛି, ପୁରୀରେ ବାତିଲ୍ ହେଲା, ଭୁବନେଶ୍ବରରେ କାହିଁକି ହେବନାହିଁ ? ଗତକାଲି କେନ୍ଦ୍ରମନ୍ତ୍ରୀ କହିଥିଲେ, ଏନ୍‌ଏମ୍ଏ ଅଧ୍ୟକ୍ଷ ପୁରୀ ସଂପର୍କରେ କିଛି ଜାଣିନଥିଲେ । ତେବେ ଭୁବନେଶ୍ବରର ଦୁଇ ମନ୍ଦିର ସଂପର୍କରେ କଣ ଅଧ୍ୟକ୍ଷ ଜାଣିଥିଲେ? କେଉଁଠି ନା କେଉଁଠି ଏକାମ୍ର କ୍ଷେତ୍ରର ବିକାଶ ରୋକିବା ଲାଗି ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିବା ରାଜନୈତିକ ମହଲରେ ସନ୍ଦେହ କରାଯାଉଛି । ତେବେ ଏହି ଚର୍ଚ୍ଚା ଜାରି ରହିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ୍ ଗଣମାଧ୍ୟମକୁ କହିଛନ୍ତି, ଲିଙ୍ଗରାଜ ମନ୍ଦିର ପ୍ରସ୍ତାବିତ ବାଇ-ଲ’ ସର୍ବସାଧାରଣ ନୋଟିସ କାଏମ୍‌ ରହିଛି । ଏହା ପ୍ରତ୍ୟାହାର ହେବାର ପ୍ରଶ୍ନ ଉଠୁନାହିଁ। ଲିଙ୍ଗରାଜ ମନ୍ଦିରରେ ନିକଟରେ ଯେଉଁ ଭଙ୍ଗାରୁଜା ହୋଇଛି ତାହା ରାଜ୍ୟ ସରକାରଙ୍କ ଦ୍ବାରା। ଏଏସ୍‌ଆଇର ଉଚ୍ଚସ୍ତରୀୟ ଟିମ୍ ସେଠାକୁ ପଠାଯାଇଥିଲା। ସେମାନେ ତାଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଠାରେ ଏହି ଅଧିନିୟମ ପ୍ରୟୋଗ ହେବ ବୋଲି ଶ୍ରୀ ପଟେଲ୍ ସ୍ପଷ୍ଟ କରିଛନ୍ତି ।

ଏଥିସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ୍ ସିଧାସଳଖ ରାଜ୍ୟ ସରକାରଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଜାତୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍ଏ)ର ବାଇ-ଲ’ କୁ ନେଇ ରାଜ୍ୟ ସରକାର ହିଁ ଭ୍ରମ ସୃଷ୍ଟି କରୁଛନ୍ତି। ଶ୍ରୀମନ୍ଦିର ଚାରିପାଖର ଉଚ୍ଛେଦ କାମ ରାଜ୍ୟ ସରକାରଙ୍କର। ଏଥରେ କେନ୍ଦ୍ର ସରକାରଙ୍କର କୌଣସି ନେଣଦେଣ ନାହିଁ । ପୁରୀ ଶ୍ରୀମନ୍ଦିର ହେଉଛି ଜୀବନ୍ତ ସ୍ମାରକୀ। ଏଣୁ ବାଇ-ଲ’କୁ ନେଇ କେନ୍ଦ୍ର ଦ୍ବାରା ଯେଉଁ ନୋଟିସ୍ ଜାରି କରିଥିଲା ତାହାକୁ ପ୍ରତ୍ୟାହାର କରିନିଆଯାଇଛି। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଦେଶର ସବୁ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ବାଇ-ଲ’ ପ୍ରସ୍ତୁତ ହେଉଛି । ଏହା ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରି ପ୍ରସ୍ତୁତ କରାଯାଉଛି । ଶ୍ରୀମନ୍ଦିର ପ୍ରାଙ୍ଗଣ ଚାରିପଟେ ଯେଉଁ ସବୁ ଜାଗା ଖାଲି କରାଯାଇଥିଲା ତାହା ରାଜ୍ୟ ସରକାରଙ୍କ ଦ୍ବାରା କାରାଯାଇଥିଲା । ଏଥିରେ ଏଏସ୍‌ଆଇ କିମ୍ବା ଭାରତ ସରକାରଙ୍କର କୌଣସି ନେଣଦେଣ ନଥିଲା।

ସେହିଭଳି ବିସ୍ଥାପିତ ପରିବାରଙ୍କ ଥଇଥାନ ଯୋଜନା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇନାହିଁ। ଯାହାସବୁ ପ୍ରତିଶ୍ରୁତି ଦିଆଯାଇଥିବ, ତାହାକୁ ସାର୍ବଜନୀନ କରାଯାଉ ବୋଲି ସେ ହୃଦବୋଧ କରୁଥିବା କହିଛନ୍ତି। ସେ ପୁଣି କହିଛନ୍ତି, ସାରାଦେଶରେ ବାଇ-ଲ’ ଗୋଟିଏ ପ୍ରକାରର ହୋଇପାରିବ ନାହିଁ। ଅଲଗା ଅଲଗା ବାଇ-ଲ’ ପ୍ରସ୍ତୁତ କରାଯାଇଥାଏ। ଜୀବନ୍ତ ସ୍ମାରକୀ ତଥା ଜୀବନ୍ତ ନଥିବା ସ୍ମାରକୀର ଅଲଗା-ଅଲଗା ବାଇ-ଲ’ ଥାଏ। ଏକଥା ଓଡିଶା ସରକାର ବୁଝିବା ଦରକାର। ଖୁବ୍ ଶୀଘ୍ର ସେ ପୁରୀ ଗସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାର ପ୍ରତିନିଦଳରେ ସାମିଲ ନେତା ଓ ସେବକମାନେ ସୂଚନା ଦେଇଥିଲେ।