ବଦଳୁଛି ଦକ୍ଷିଣ ଓଡିଶାର ରାଜନୈତିକ ସମୀକରଣ। ଗମାଙ୍ଗ ଓ ପାଙ୍ଗି ବିଗାଡିବେ କି ଖେଳ?

832

କନକ ବ୍ୟୁରୋ: ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗଙ୍କ ପରେ ଏବେ ଜୟରାମ ପାଙ୍ଗି ସୋମବାର ଭାରତୀୟ ରାଷ୍ଟ ସମିତ, ବିଆରଏସ୍ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି । ଏହାପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମୀକରଣ ବଦଳିବା ପାଇଁ ଯାଉଛି । ଜୟରାମ ପାଙ୍ଗି ବିଜେପି ଛାଡି ନିକଟରେ ଦଣ୍ଡକାରଣ୍ୟ କମିଟି ଗଠନ କରିଥିଲେ । ଆଉ ସେ ଏବେ ରାଷ୍ଟ୍ରୀୟ ଦଳ ମୁହାଁ ହୋଇଛନ୍ତି । ଅର୍ଥାତ ଏହି ନେତାମାନେ ଖୁବଶୀଘ୍ର ବିଏଆରଏସରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୋରାପୁଟ ରାଜନୀତିରେ ଦୀର୍ଘଦିନ ଧରି ଗମାଙ୍ଗ-ପାଙ୍ଗିଙ୍କ ପ୍ରଭାବ ରହିଥିବାରୁ ଏମାନଙ୍କ ଦଳ ଡିଆଁ ଚର୍ଚ୍ଚା ଜିଲ୍ଲା ରାଜନୀତିକୁ ରୋଚକ କରିପାରେ ।

୨୦୧୯ ନିର୍ବାଚନରେ ବିଜେଡି ସହ ସମ୍ପର୍କ ତୁଟାଇ କୋରାପୁଟ ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିଲେ ଟାଣୁଆ ଆଦିବାସୀ ନେତା ଜୟରାମ ପାଙ୍ଗି । ସେ ୨ ଲକ୍ଷ ୮ ହଜାରରୁ ଅଧିକ ଭୋଟ ପାଇ ବିଜେଡି ପାଇଁ କଂଟା ସାଜିଥିଲେ । ଆଉ ଏଠାରୁ ଜିତିଥିଲେ କଂଗ୍ରେସର ସପ୍ତଗିରି ଉଲ୍ଲାକା । ଖାଲି ସେତିକି ନୁହେଁ ବିଜେପିର ସଙ୍ଗଠନ ଓ ଭୋଟ ପ୍ରତିଶତକୁ ସେ ମଧ୍ୟ ବଢାଇଥିଲେ । ଅନ୍ୟପଟେ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ଜିଲ୍ଲାରେ ବିଜେପିର ଶକ୍ତି ବୃଦ୍ଧି କରିଥିଲେ । ତେଣୁ ଏହି ନେତା ଯଦି ଦଳ ଛାଡନ୍ତି ତାହାହେଲେ ବିଜେପିରେ ସଙ୍ଗଠନ ଉପରେ ପ୍ରଭାବ ପଡିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ରାୟଗଡା ଓ କୋରାପୁଟ ରାଜନୀତିରେ ଗମାଙ୍ଗ ଓ ପାଙ୍ଗି ପରିବାରର ଦବଦବା ରହିିଛି । କିନ୍ତୁ ଉଭୟ ବିଜେପିରେ କୋଣଠେସା ହେବା ପରେ ଦଳ ବଦଳାଇ ନୂଆ ରାଜନୈତକି ସମୀକରଣ ଲକ୍ଷ୍ୟରେ ଅଛନ୍ତି । ଆଉ ଏହି ନେତା ଖୁବଶୀଘ୍ର ବିଆରଏସରେ ସାମିଲ ହୋଇପାରନ୍ତି ।