କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପ୍ରସଙ୍ଗ । ପାକ୍ ସୁପ୍ରିମକୋର୍ଟରେ ତିନି ଧରି ମାମଲାର ଶୁଣାଣି ହୋଇଥିଲେ ମଧ୍ୟ ଚୂଡାନ୍ତ ଶୁଣାଣି ଆସିପାରିନି । ଆଜି ଶୁଣାଣିର ଚତୁର୍ଥ ଦିନ । ଗତକାଲି ଅନାସ୍ଥା ପ୍ରସ୍ତାବ ଖାରଜ ଏବଂ ନ୍ୟାସନାଲ ଆସେମ୍ବଲି ଭଙ୍ଗ ମାମଲାରେ ଶୁଣାଣି ପରେ ସୁପ୍ରିମକୋର୍ଟଙ୍କ ଗୁରୁବାର ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଥିଲେ । ମଙ୍ଗଳବାର ଶୁଣାଣି କରି କୋର୍ଟ ଏହି ମାମଲାରେ ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପ ଥିଲା କି ନାହିଁ ପ୍ରଶ୍ନ କରିଥିଲେ । ବୁଧବାର ଏହାକୁ ନେଇ ଜବାବ ରଖିଥିଲା ସେନା । ପାକିସ୍ତାନରେ ଚାଲିଥିବା ରାଜନୈତିକ ସଂକଟ ପଛରେ କୌଣସି ଦେଶର ଭୂମିକା ନଥିବା ସେନା ପକ୍ଷରୁ କୁହାଯାଇଛି ।
ପୂର୍ବରୁ ସୁପ୍ରିମକୋର୍ଟ ସଂସଦରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ କରାଯାଇପାରିବ ନାହିଁ ବୋଲି ରୋକଠୋକ କହିଥିଲେ । ସୁପ୍ରିମକୋର୍ଟଙ୍କ ମନୋଭାବ ଦେଖି ଲାଗୁଛି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ସେ ନିର୍ଦ୍ଦେଶ ଦେଇ ପାରନ୍ତି । ଆଉ ଏପରି ହେଲେ ଇମ୍ରାନ ଖାନଙ୍କ ପାଇଁ ପରିସ୍ଥିତି ବେଶ ଖରାପ ହୋଇଯିବ । ଆଉ ଏଭଳି ପରିସ୍ଥିତିରେ ପାକ୍ ସେନାର କଣ ଭୂମିକା ରହିବ ତାହା ଉପରେ ନଜର ।