କନକ ବ୍ୟୁରୋ: ବାଜା, ରୋଷଣୀ, ଡିଜେର ଫାଟିପଡୁଥିଲା ଗାଁ ଦାଣ୍ଡ । ନାଚରେ ମସଗୁଲ ଥିଲେ ବରଯାତ୍ରୀଦଳ । କାରରେ ଠିଆ ହୋଇ ବର ବି ବରଯାତ୍ରୀ ଦଳଙ୍କୁ ଉତ୍ସାହିତ କରୁଥିଲା । କିଏ ଡିଜେର ତାଳେ ତାଳେ ପାଦ ମିଶାଉଥିଲା, ପୁଣି କିଏ ବର ସହ ସେଲଫି ଉଠାଉଥିଲା । ଯାଜଜମକରେ ବରଗଡ ଜିଲ୍ଲା ଭଟଲି ଥାନା ବେହେରା ପାଲି ଗାଁ ବିବାହ ଉତ୍ସବକୁ ନେଇ ମୁଖରିତ ଥିଲା । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ପାଣି ଗେଙ୍ଗୁଟିଆ ଗାଁରୁ ଆସିଥିଲା ବାରାତ୍ । ବେହେରାପାଲି ଗାଁ ମୁଣ୍ଡରୁ ହସଖୁସିରେ ବାଜା ରୋଷଣୀ ସହ କନ୍ୟା ଘର ଅଭିମୁଖେ ବାହାରିଥିଲା ବର ଶୋଭାଯାତ୍ରା । ହେଲେ ଏହି ହସଖୁସି ବେଶୀ ସମୟ ରହିଲା ନାହିଁ ।
କନ୍ୟାଘର ପାଖରେ ବରକୁ ବାଟ ବରଣ ସରିଛି କି ନାହିଁ ପହଂଚି ଗଲା ଭୁବନେଶ୍ୱରର କମିସନରେଟ ପୁଲିସ । ବାଟ ବରଣ ହୋଇଥିବା ବରକୁ ଉଠାଇ ଥାନାକୁ ନେଇଯାଇଥିଲେ । କିଛି ସମୟ ଆଗରୁ ବ୍ୟାଣ୍ଡ ବାଜାରେ ଗର୍ଜି ଉଠୁଥିବା ଛୋଟିଆ ଗାଁ ବେହେରା ପାଲି ପୁରା ସ୍ତବ୍ଧ ହୋଇଯାଇଥିଲା ।
କମିସନରେଟ ପୁଲିସ ପହଞ୍ଚି ବରର ହାତ ଧରିବା ପରେ ବିରୋଧ କରିଥିଲେ ଉଭୟ କନ୍ୟାଘର ଓ ବର ଘର ଲୋକେ । ଏହାକୁ ନେଇ ସେଠାରେ ଉତେଜନା ଦେଖା ଦେଇଥିଲା । ପୁଲିସ ବୁଝାସୁଝା କରିବା ପରେ ପ୍ରତାରକ ପ୍ରେମିକକୁ ଛାଡିଦେଇଥିଲେ ଲୋକେ । ଭୁବନେଶ୍ୱର ମହିଳା ଥାନାରେ ବର ଅଜିତ ଭୋଇଙ୍କ ନାଁରେ ହୋଇଥିବା ଅଭିଯୋଗ ଅନୁସାରେ
ଅଜିତ କୁମାର ଭୋଇ ଭୁବନେଶ୍ୱର ଓଏସଆରଟିସିରେ ଜେଇ ଅଛନ୍ତି
୨ ବର୍ଷ ହେଲା ଭୁବନେଶ୍ୱରର ଜଣେ ଝିଅଙ୍କ ସହ ସଂପର୍କରେ ଅଛନ୍ତି
ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିଥିଲେ
ପ୍ରେମିକା ବିବାହ କଥା କହିଲେ ସମୟ ଗଡାଇ ଠକୁଥିଲେ
ଅଜିତଙ୍କ ନାଁରେ ଏତଲା ଦେଇଥିଲେ ପ୍ରେମିକା
ଆଇପିସି ୩୭୬, ୩୨୩, ୨୯୪,୩୧୩, ୫୦୬ ଧାରାରେ ମାମଲା ରୁଜୁ
ପ୍ରେମିକାକୁ ଧୋକ୍କା ଦେଇ ଅଜିତ ବାହା ହେଉଥିବା ଜାଣିବା ପରେ ପୁଲିସର କାର୍ଯ୍ୟାନୁଷ୍ଠାନ
ଅଭିଯୁକ୍ତ ଅଜିତକୁ ଉଠାଇ ଭଟଲି ଥାନାକୁ ନେଇଥିଲା ପୁଲିସ । ବାଟବରଣ ସମୟରେ ଅଜିତକୁ ପିନ୍ଧାଇ ଥିବା ସୁନା ଚେନ, ସୁନା ମୁଦି, ହାତ ଘଂଟା ପୁଲିସ ଜବତ କରି କନ୍ୟା ପକ୍ଷକୁ ଫେରାଇ ଦେଇଛି । ଏହାପରେ ଅଜିତ ଭୋଇଙ୍କ ଡାକ୍ତରୀ ମାଇନା କରି କୋର୍ଟଚାଲାଣ କରାଯାଇଛି । ଏହି ଘଟଣା ବରଗଡ ଜିଲ୍ଲାରେ ହଇଚଇ ଖେଳାଇଦେଇଛି । ଗୋଟିଏ ଝିଅର ଜୀବନ ସହ ଖେଳିଥିବା ଅଜିତକୁ ପୁଲିସ ଉଠାଇ ନେବାରୁ ଆଉ ଜଣେ ଝିଅର ଜୀବନ ବରବାଦ ହେବା ଆଗରୁ ବଂଚିଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
Follow Us