ଠକ ଦେଉଥିଲା ପୁଲିସ ଚାକିରି। ଲାଇଫଷ୍ଟାଇଲ ପାଇଁ କରୁଥିଲା ଲୁଟ।

305

କନକ ବ୍ୟୁରୋ: ଦେବବ୍ରତ ପଲେଇ । ଘର ମୟୂରଭଞ୍ଜରେ ଆଉ ଅପରେସନ ଭୁବନେଶ୍ୱରର ମଞ୍ଚେଶ୍ୱରରେ । ପାଠ ପଢିଛନ୍ତି ଯୁକ୍ତ ଦୁଇ କିନ୍ତୁ ଯୁବକ ଯୁବତୀଙ୍କୁ ବାଣ୍ଟୁଛନ୍ତି ପୁଲିସ ଚାକିରି । ବାବୁଙ୍କ ଲାଇଫଷ୍ଟାଇଲ ଦେଖିଲେ ଯେ କେହିବି କହିବ ତାଙ୍କର ଉପର ମହଲରେ ଦବଦବା ଅଛି । ଆଉ ସୋ ବାଜି କରିବାରେ ବି ବାବୁ ଦେବବ୍ରତ ବେଶ ପାରଙ୍ଗମ । ଠକ ଇନଷ୍ଟା ରିଲସ କରିବାରେ ବେସ ମାହିର । ବିଡା ବିଡା ଟଙ୍କାକୁ ଟ୍ରେରେ ରଖି ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । କେତେ ବେଳେ ଦାମୀ କାରକୁ ପଙ୍କରେ ଭର୍ତି କରି ତାର ଭିଡିଓ ସେୟାର କରୁଛନ୍ତି ପୁଣି କେତେବେଳେ ଫିଲ୍ମ ହିରୋ ଭଳି ଦାମୀ ବାଇକ ଚଢି ଷ୍ଟଣ୍ଟଦେଖାଉଛନ୍ତି । ଏସବୁ ନିଜ ପଇସାରେ ନୁହେଁ ବରଂ ନିରୀହ ଲୋକଙ୍କୁ ଚାକିରି ଦେବାକୁ କହି ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରି, ସେହି ଟଙ୍କାରେ ମଜଲିସ କରୁଛନ୍ତି ।

ଠକ ଦେବବ୍ରତର ମହିନ୍ଦ୍ରାର ଏହି ଦାମୀ ଗାଡି ଚଢିବା ଏକ ସ୍ୱପ୍ନ ଥିଲା । ଆଉ ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ଭୁବନେଶ୍ୱରକୁ ଆସିଥିଲା ଦେବବ୍ରତ । ଚାକିରି ଦେବା ପାଇଁ ଖୋଲିଥିଲା ଏକ ଠକ ଅଫିସ । କେତେ ବେଳେ କନେଷ୍ଟବଳ ଚାକିରି ତ ପୁୁଣି କେତେ ବେଳେ ମେଡିକାଲରେ ଚାକିରି ଦେବାକୁ କହି ଲୋକଙ୍କ ଠାରୁ ଟଙ୍କା ନେଇ ଭୁଆଁ ବୁଲାଇଥିଲା । ଏ ଠକ ଧୁରନ୍ଧର ଧରାପଡିବା ପରେ ୨୫ ଲକ୍ଷରୁ ଅଧିକ ଟଙ୍କାର ଠକେଇ କଥା ସାମ୍ନାକୁ ଆସିଛି ।

ଏହି ଠକର ଅଫିସ ରେଡ ବେଳେ ବସ୍ତା ବସ୍ତା ଦସ୍ତାବିଜ ଜବତ କରି ତଦନ୍ତ ଚଲାଇଛି କମିସନରେଟ ପୁଲିସ । ହଜାରରୁ ଅଧିକ ସିଭି, ଆଇଡି କାର୍ଡ, ଡାଟା ବେସ, ହାର୍ଡ ଡିସ୍କ ଆଦି ଜବତ କରାଯାଇଛି । ଠକର ମାୟାଜାଲରେ ପଡିଥିବା ବ୍ୟକ୍ତିଙ୍କ ବାବଦରେ ବିସ୍ତୃତ ଭାବେ ଜାଣିବା ପାଇଁ ଅଭିଯୁକ୍ତ ରିମାଣ୍ଡରେ ଅଣାଯିବ ।