କନକ ବ୍ୟୁରୋ: ଦୁଇଦିନରେ ଯାଇଛି ୩ ଜୀବନ । ଜଣକ ପରେ ଜଣକୁ ହତ୍ୟା କରିଥିବା ଅଭିଯୋଗ ଆସିଛି ଅଭିଯୁକ୍ତ ନାବାଳକ ନାଁରେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଇମଣି ଛକ ନିକଟରୁ ଆସିଛି ଏଭଳି ଲୋମହର୍ଷଣକାରୀ ଘଟଣା । ପଡୋଶୀ ଘରର ମା ଓ ଝିଅକୁ ହତ୍ୟା କରିବା ପରେ ନିଜ ଆଈକୁ ବି ନାବାଳକ ହତ୍ୟା କରିଥିବା ଅଭିଯୋଗ ଆସିଛି ।

Advertisment
  • ନାବାଳକ ପାଲଟିଲା ନରହନ୍ତା
  • ଦୁଇଦିନରେ ନେଲା ୩ ଜୀବନ

ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା, ସ୍ୱାମୀ ରାଜୁ ମୁଣ୍ଡା ଓ ୬ ବର୍ଷର ଝିଅ ରାଇମଣି ନିକଟରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ହେଲେ ହଠାତ୍ ଗତକାଲି ସକାଳେ ସୁକାନ୍ତି ମୁଣ୍ଡାଙ୍କ ମୃତଦେହ ମିଳିଥିଲା । ପରେ ଏକ କିଲୋମିଟର ଦୂରରେ ଏକ ପୋଲ ତଳୁ ୬ ବର୍ଷ ଝିଅର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ସେହି ସ୍ଥାନରେ ଜଣେ ନାବାଳକକୁ ଦେଖି ଲୋକଙ୍କ ସନ୍ଦେହ ବଢିଥିଲା । ସ୍ଥାନୀୟ ଲୋକେ ଗୋଡେଇ ଗୋଡେଇ ନାବାଳକଙ୍କୁ ଧରି ପୁଲିସର ଜମାଦେଇଥିଲେ । ମୃତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି, ଦୁଷ୍କର୍ମ ପରେ ତାଙ୍କ ସ୍ତ୍ରୀକୁ ହତ୍ୟା କରିଛି ନାବାଳକ । ଆଉ ଝିଅ ଦେଖିଦେବାରୁତାର ବି ଜୀବନ ନେଇଛି । ତେବେ ସତ ଜାଣିବାକୁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ ।

  • ସକାଳୁ ସକାଳୁ ପୁଣି ଚାଞ୍ଚଲ୍ୟ
  • ବୁଦାରୁ ମିଳିଲା ନାବାଳକ ଆଈର ମୃତଦେହ

ଦୁଇଟି ମୃତଦେହ ମିଳିବାର ୨୪ ଘଣ୍ଟା ନ ପୁରୁଣୁ ଆଜି ସକାଳେ ଆଉ ଏକ ମୃତଦେହ ମିଳିଥିଲା । ମୃତକ ଅଭିଯୁକ୍ତ ନାବାଳକର ଆଈ ସୁମତି ମୁଣ୍ଡା ବୋଲି ଜଣାପଡିଛି । ମୃତ ସୁମତିଙ୍କ ବେକକୁ ଶାଢୀରେ ଗୁଡାଇ ହତ୍ୟା କରାଯାଇଥିବାବେଳେ ଶରୀରରେ କ୍ଷତ ଦାଗ ରହିିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଆଈ ସହ ନାବାଳକଙ୍କୁ ଲୋକେ ୨ ଦିନ ତଳେ ଦେଖିଥିଲେ । ପୁଲିସ ଆଜି ସୁମତିଙ୍କ ମୃତଦେହ ମିଳିଥିବା ସ୍ଥାନରେ ସିନ୍ ରିକ୍ରିଏସନ କରିଛି ।

ପ୍ରଥମେ ଆଈକୁ ହତ୍ୟା କରିବା ପରେ ନାବାଳକ ଜଣେ ମହିଳା ଓ ତାଙ୍କ ୬ ବର୍ଷିୟ ଝିଅକୁ ହତ୍ୟା କରିଛି । ଅଭିଯୁକ୍ତ ନାବାଳକ ଏହାକୁ ପୁଲିସ ଆଗରେ ସ୍ୱୀକାର ବି କରିଛି । ତେବେ ହତ୍ୟା ପଛରେ ଦୁଷ୍କର୍ମ ନା ଅନ୍ୟ କାରଣ ତାର ଛାନଭିନ କରୁଛି ପୁଲିସ ।