କନକ ବ୍ୟୁରୋ: ଡ୍ରାଇଭରଙ୍କ ଆନ୍ଦୋଳନ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଡ୍ରାଇଭର ସଂଘର ଆନ୍ଦୋଳନକୁ ବାହର ରାଜ୍ୟରୁ ଆସୁଥିବା ଡ୍ରାଇଭର ବିରୋଧ କରିଥିଲେ । ଏହାକୁ ନେଇ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଉତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ଡ୍ରାଇଭରଙ୍କ ଭିତରେ ଠେଲାପେଲା ସହ ମାରପିଟର ଚିତ୍ର ସାମ୍ନାକୁ ଆସିଥିଲା । ରାଜରାସ୍ତା ଉପରେ ଠେଲାପେଲା, ଗଣ୍ଡଗୋଳ ହେବାରୁ ରାସ୍ତାର ଦୁଇ ପଟେ ଅଟକି ଯାଇଥିଲା ଶହ ଶହ ଗାଡି । ଫଳରେ ଜାତୀୟ ରାଜପଥ କିଛି ସମୟ ପାଇଁ ଜାମ ହୋଇଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ।

Advertisment

ଗଣ୍ଡଗୋଳ ପରେ ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରୁଥିବା ଡ୍ରାଇଭରଙ୍କୁ ବୁଝାସୁଝା କରି ରାସ୍ତା ଉପରୁ ହଟାଇଛି । ଡ୍ରାଇଭର ରାସ୍ତାରୁ ହଟିବା ପରେ ତମାଣ୍ଡୋରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି । ସେପଟେ ଆନ୍ଦୋଳନକାରୀ ଡ୍ରାଇଭର ଓ ବାହାର ରାଜ୍ୟର ଡ୍ରାଇଭରଙ୍କ ମଧ୍ୟରେ ସଙ୍ଘର୍ଷର ଖବର ପାଇ ଜଟଣୀ ବିଧାୟକ ସୁରେଶ ରାଉତରାୟ ପହଞ୍ଚିଥିଲେ । ସେ ଡ୍ରାଇଭରମାନଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ତମାଣ୍ଡୋ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । ତମାଣ୍ଡୋ ରାଜରାସ୍ତାରେ ଏବେ ବି ସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନକୁ ବିରୋଧ କରିଥିଲେ ବାହାରୁ ଆସୁଥିବା ଡ୍ରାଇଭର । ଫଳରେ ରାଜରାସ୍ତାରେ ବେଶ କିଛି ସମୟ ଧରି ଜାମ୍ ହୋଇଥିଲା । ସ୍ଥିତି ଏଭଳି ହୋଇଥିଲା ଯେ, ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରାସ୍ତା ଖାଲି କରିଛି ।