କନକ ବ୍ୟୁରୋ: ଶେଷରେ ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂହଙ୍କ ଆଗରେ ହାରମାନିଛି ପଞ୍ଜାବ ପୋଲିସ । ତାଙ୍କ ସହଯୋଗୀ ଲଭପ୍ରୀତ ତୁଫାନଙ୍କ ବିରୋଧରେ ଦାୟର ମାମଲା ପ୍ରତ୍ୟାହାର କରିବା ସହ ତାଙ୍କୁ ଜେଲରୁ ବାହାର କରିବାକୁ ଏକ ପ୍ରକାର ବାଧ୍ୟହୋଇଛି । ଏହାପରେ ପଞ୍ଜାବ ପୋଲିସର କାର୍ଯ୍ୟଶୈଳୀ ଉପରେ ଉଠିଛି ବଡ ପ୍ରଶ୍ନ । କାହିଁକି ଅମୃତପାଲଙ୍କ ଆଗରେ ମୁଣ୍ଡ ନୁଆଁଇଛି ପୋଲିସ, ଏହାକୁ ନେଇ ଜାତୀୟସ୍ତରରେ ଆଲୋଚନା କରାଯାଉଛି । ଗୁରୁବାର ଲଭପ୍ରୀତଙ୍କ ଗିରଫଦାରୀ ବିରୋଧରେ ଅମୃତସରର ଅଜନାଲା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଶତାଧିକ ସମର୍ଥକ । ହାତରେ ଖଣ୍ଡା ବନ୍ଧୁକ ସହ ଗୁରୁ ଗ୍ରନ୍ଥ ସାହିବଙ୍କୁ ଧରି ପୋଲିସ୍ ଷ୍ଟେସନ୍ ଉପରେ ଆକ୍ରମଣ କରିଥିଲେ ଅମୃତପାଲଙ୍କ ସମର୍ଥକ । ପ୍ରାୟ ୨ ଘଣ୍ଟା ଧରି ପୋଲିସ ଅମୃତପାଲଙ୍କ ସମର୍ଥକଙ୍କ ଭିତରେ ହୋଇଥିଲା ଆଲୋଚନା । ଯାହା ପରେ ପୋଲିସକୁ ମୁଣ୍ଡ ନୁଆଁଇବାକୁ ପଡିଛି ।
ଶିଖ ଧର୍ମ ପ୍ରଚାରକ ତଥା ‘ୱାରିସେ ପଞ୍ଜାବ ଦେ’ ସଂସ୍ଥାର ମୁଖ୍ୟ ହେଉଛନ୍ତି ଅମୃତପାଲ ସିଂହ । ନିଜକୁ ଶିଖ୍ ଗୁରୁ ଭାବେ ପରିଚୟ ଦେଇଥାନ୍ତି । ଏହାସହ ଖାଲିସ୍ତାନର ସବୁଠାରୁ ବଡ ସମର୍ଥକ ହେଉଛନ୍ତି ଅମୃତପାଲ ସିଂହ ଓ ତାଙ୍କ ସହଯୋଗୀ ଲଭପ୍ରୀତ ତୁଫାନ୍ ।
ଅମୃତପାଲ ସିଂହ କିଏ?
- ‘ୱାରିସେ ପଞ୍ଜାବ ଦେ’ ସଂସ୍ଥାର ମୁଖ୍ୟ
- ଖାଲିସ୍ତାନୀ ସମର୍ଥକ ଜେନେରାଲ ସିଂହ ଭିଣ୍ଡରାୱାଲେଙ୍କୁ ମାନନ୍ତି ଆଦର୍ଶ
- ନିଜ ଆକ୍ରମଣାତ୍ମକ ବୟାନ ପାଇଁ ରହିଥାନ୍ତି ଚର୍ଚ୍ଚାରେ
- ଖାଲିସ୍ତାନୀ ବୋଲି ପରିଚୟ ଦେଇଥାନ୍ତି
- ସ୍ୱତନ୍ତ୍ର ଶିଖ୍ ଦେଶର ଦାବି କରି ଆସୁଛନ୍ତି
ଅମୃତପାଲଙ୍କ ବିରୋଧରେ କ’ଣ ରହିଛି ଅଭିଯୋଗ?
- ଲୋକଙ୍କୁ ଖାଲିସ୍ତାନୀ ନାମରେ ଉସୁକାଇବା
- ଖାଲିସ୍ତାନୀ ଆନ୍ଦୋଳନକୁ ପ୍ରୋତ୍ସାହନ ଦେବା
- ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଖୋଲା ଧମକ୍
- ଇନ୍ଦିରା ଗାନ୍ଧୀଙ୍କ ଭଳି ଅମିତ ଶାହାଙ୍କ ଅବସ୍ଥା ହେବ ବୋଲି କହିଥିଲେ
- ଅମୃତପାଲଙ୍କ ଗତିବିଧି ଉପରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ନଜର
ଗତ ୧୬ ତାରିଖରେ ଅମୃତପାଲ ଓ ଲଭପ୍ରୀତଙ୍କ ବିରୋଧରେ ଅପହରଣ ଓ ମାରପିଟର ଅଭିଯୋଗ ହୋଇଥିଲା । ଏହି ଆଧାରରେ ଲଭପ୍ରୀତ ତୁଫାନଙ୍କୁ ଗିରଫ କରିଥିଲା ପୋଲିସ । ହେଲେ ଅମୃତପାଲ ଓ ତାଙ୍କ ସମର୍ଥକଙ୍କ ଦ୍ୱାରା ଯେଉଁଭଳି ପ୍ରତିବାଦ କରାଗଲା, ଏହାପରେ ପୋଲିସ ଲଭପ୍ରୀତଙ୍କୁ ଛାଡିବାକୁ ବାଧ୍ୟ ହୋଇଛି । ଯାହା ଖାଲିସ୍ତାନୀ ଆନ୍ଦୋଳନକୁ ଆହୁରି ପ୍ରୋତ୍ସାହିତ କରିଛି ବୋଲି କହିବା ଭୁଲ ହେବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/Screenshot-2023-02-24-203419.jpg)