କନକ ବ୍ୟୁରୋ: ଦୁଇ ଦୁଇଟି ବିବାହ କରିଥିଲେ । ଏହାକୁ ଲୁଚାଇବାକୁ ଯାଇ ଫେରାର୍ ହୋଇଯାଇଥିଲେ । ଆଉ ପରେ ଏହାକୁ ଦେଇଥିଲେ ନିଖୋଜର ରୂପ । ଏମିତି ୫ ବର୍ଷ ଧରି ଲୁଚକାଳି ଖେଳିବା ପରେ ଶେଷରେ ପୋଲିସ୍ ହାତରେ ଧରାପଡ଼ିଛି ଧୋକାବାଜ ସ୍ୱାମୀ । କଟକ ଜିଲ୍ଲା ଆଠଗଡ଼ରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଆଠଗଡ଼ର ସଞ୍ଜୟ ପ୍ରଧାନ । ୨୦୧୫ରେ ବାଲେଶ୍ୱରରେ ଅଞ୍ଚଳର ଯୁବତୀଙ୍କୁ ପ୍ରଥମେ ପ୍ରେମ ବିବାହ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଭୁବନେଶ୍ୱର ସହିଦ ନଗରରେ ଭଲପାଇ ଦ୍ୱିତୀୟ ବିବାହ କରିଥିଲେ । ଆଉ ବିବାହ ପରେ ସେ ସହିଦନଗରରେ ରହୁଥିଲେ । କିନ୍ତୁ ଦ୍ୱିତୀୟ ସ୍ତ୍ରୀ’ର ପରିବାର ଲୋକେ ତାଙ୍କର ଭଲଭାବେ ଦେଖାଶୁଣା କରୁନଥିଲେ । ଯେଉଁ କାରଣରୁ ସେ ଦ୍ୱିତୀୟ ସ୍ତ୍ରୀକୁ ଛାଡ଼ି କୁଆଡ଼େ ପଳାଇଥିଲେ ।

Advertisment

ସଞ୍ଜୟ ନିଖୋଜ ଥିବା ନେଇ ଆଠଗଡ଼ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ବାପା । ଏମିତିକି ଦ୍ୱିତୀୟ ସ୍ତ୍ରୀର ବାପଘର ଲୋକେ ସଂଜୟଙ୍କୁ ମାରି ଦେଇଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ୫ ବର୍ଷ ଧରି ପୋଲିସ୍ ତାଙ୍କୁ ଖୋଜୁଥିଲା, କିନ୍ତୁ କିଛି ଖୋଜଖବର ମିଳୁନଥିଲା । ଶେଷରେ ପୋଲିସ୍ ଘରଲୋକଙ୍କ ମୋଇବାଲ୍ ଟ୍ରାକ କରି ସଂଜୟଙ୍କୁ ଧରିବାରେ ସଫଳ ହୋଇଛି । ଆଠଗଡ଼ ପୋଲିସ୍ ସଂଜୟ ଓ ତାଙ୍କ ବାପାଙ୍କୁ ପଚରାଉଚରା ଜାରି ରଖିଛି ।