କନକ ବ୍ୟୁରୋ: ବେଜିଂକୁ ଘାରିଛି କରୋନା ଭୟ । ଚୀନରେ ଏବେ ୱିଣ୍ଟର ଅଲିମ୍ପିକ୍ସ ଚାଲିଥିବାବେଳେ ଆଗକୁ ପାରାଅଲିମ୍ପକ୍ସ ମଧ୍ୟ ହେବାର ଅଛି । ତେବେ କରୋନା ସଂକ୍ରମଣ ଏଡାଇବାକୁ ଆଥଲେଟଙ୍କଠୁ ଆରମ୍ଭ କରି ସାମ୍ବାଦିକ ଓ ସ୍ୱେଚ୍ଛାସେବୀଙ୍କୁ ସଂପୂର୍ଣ୍ଣ ବାୟୋ ବବଲରେ ରଖାଯାଇଛି । ଏଥିପାଇଁ କେନ୍ଦ୍ରୀୟ ବେଜିଂର କିଛି ଅଞ୍ଚଳ, ୟାନକିଙ୍ଗ ଜିଲ୍ଲା, ଝାଙ୍ଗଜିଆକୁ ସହର ଓ ଏହା ପାଖରେ ଥିବା ହେବେଇ ପ୍ରୋଭିନ୍ସକୁ ମିଶାଇ ଅଲିମ୍ପିକ୍ସ ଭିଲେଜ ବା କ୍ରୀଡାଗ୍ରାମ ପ୍ରତିଷ୍ଠା କରିଛନ୍ତି ଚୀନ ସରକାର ।

Advertisment

ଏହାରି ଭିତରେ ପ୍ରାୟ ୨ ମାସ ଧରି ରହିବେ ଖେଳାଳି, ଆୟୋଜକ, ସାମ୍ବାଦିକ ଓ ସ୍ୱେଚ୍ଛାସେବୀ । ଉଭୟ ଅଲିମ୍ପକ୍ସ ଓ ପାରାଅଲିମ୍ପିକ୍ସ ଶେଷ ହେବା ଯାଏଁ ଏମାନେ ବାହାରକୁ ଆସିବେ ନାହିଁ କିମ୍ବା ସ୍ଥାନୀୟ ଲୋକ ଏମାନଙ୍କ ସଂସ୍ପର୍ଷରେ ଆସିବେ ନାହିଁ । ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ହୋଟେଲରେ ରହଣୀସ୍ଥଳରୁ ଆରମ୍ଭ କରି କ୍ରୀଡାଗ୍ରାମ ଯିବା ଆସିବା ସବୁକିଛି ବାୟୋ ବଳୟ ଭିତରେ କରାଯାଉଛି । ତେବେ କ୍ରୀଡାଗ୍ରାମରେ ଖେଳାଳିଙ୍କ ବିଛଣା ପ୍ରସ୍ତୁତ କରିବାଠୁ ଆରମ୍ଭ କରି ଖାଦ୍ୟ ପରସିବା ଯାଏଁ ରୋବର୍ଟ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । କୁହାଯାଉଛି କରୋନା ସଂକ୍ରମଣର ସମ୍ଭବନାକୁ କମାଇବା ପାଇଁ ଲୋକଙ୍କ ବଦଳରେ ବିଭିନ୍ନ ପ୍ରକାର ସେବା ପାଇଁ ଏହିଭଳି ଉନ୍ନତମାନର ଜ୍ଞାନକୌଶଳକୁ ବ୍ୟବହାର କରୁଛି ଚୀନ । ତେବେ ବେଜିଂର ଏଭଳି ଉନ୍ନତମାନର ବ୍ୟବସ୍ଥାକୁ ବେଶ ପ୍ରଶଂସା କରିଛନ୍ତି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ଅକ୍ଷ୍ୟକ୍ଷ ।