ବନ୍ଦ ପଡିଛି ପ୍ଲାଣ୍ଟ, ରୋଜଗାର ହରାଇଛନ୍ତି ୪୦୦ କର୍ମଚାରୀ । ଛତ୍ରପୁରର ଟିଟାନିୟମ ପ୍ଲାଣ୍ଟ ନଖୋଲିଲେ, ରାସ୍ତାକୁ ଓହ୍ଲାଇବା ନେଇ କର୍ମଚାରୀ ଦେଲେ ଚେତାବନୀ ।
କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ରହିଛି ଦେଶର ପ୍ରଥମ ଟିଟାନିୟମ ପ୍ଲାଂଟ । ଏହି ପ୍ଲାଂଟଟି ଗତ ୯ ମାସ ଧରି ବନ୍ଦ ହୋଇଥିବା ହେତୁ ଏଠାରେ କାମ କରୁଥିବା ୪୦୦ କର୍ମଚାରୀ ଏବେ ରୋଜଗାର ହରାଇ ବସିଛନ୍ତି । ଆଗାମୀ ଦିନରେ କମ୍ପାନୀ ନଖୋଲିଲେ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୦୭ରେ ଛତ୍ରପୁର ବ୍ଲକରେ ଟିଟାନିୟମ ପାର୍କ କରିବା ପାଇଁ ୨୫୦ ଏକର ଜମି ନେଇଥିଲା ସରାଫ୍ ଏଜେନ୍ସି । ଏହି ଜମିରେ ୩ଟି ପ୍ଲାଂଟ କରିବ, ଆଉ ୪ ହଜାର ଲୋକଙ୍କୁ ନିଯୁକ୍ତି ଦେବ । ବହୁ ଆଶା ନେଇ ସ୍ଥାନୀୟ ଲୋକେ ଜମି ଦେଇଥିଲେ, କମ୍ପାନୀ ପ୍ଲାଂଟ ହେଲା, ୨୦୧୬ରେ କମ୍ପାନୀ ଟିଟାନିୟମ୍ ସ୍ଲଗ ପ୍ଲାଂଟ ଉଦଘାଟନ ପ୍ରାୟ ୪ଶହ ଲୋକଙ୍କୁ ନିଯୁକ୍ତି ଦେଇଥିଲା । ହେଲେ କରୋନା କଟକଣା ଯୋଗୁଁ ପ୍ରାୟ ୯ ମାସ ହେବ ପ୍ଲାଂଟ ବନ୍ଦ ରହିଛି, ଫଳରେ ରୋଜଗାର ହରାଇ ବସିଛନ୍ତି କର୍ମଚାରୀ ।
କର୍ମଚାରୀ ରୋଜଗାର ହଜାଇ, ଚିନ୍ତାରେ ପଡିଥିବା ବେଳେ ଜିଲ୍ଲାପାଳଙ୍କୁ ଭେଟି କମ୍ପାନୀ ଖୋଲିବା ପାଇଁ ଦାବି କରିଛନ୍ତି । କର୍ମଚାରୀଙ୍କ ଦାବି ଅନୁସାରେ, ଜିଲ୍ଲାପାଳ, କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ବୈଠକ କରିବେ ବୋଲି ଜଣାପଡିଛି । ସେପଟେ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି, ଏଠାରୁ ବାହାରୁଥିବା କଞ୍ଚାମାଲ ଋଷ ଓ ଜାପାନକୁ ଯାଉଥିଲା । ଏବେ ସେହି ଦେଶଗୁଡିକ ମାଲ ନେଉନାହାନ୍ତି ଫଳରେ କମ୍ପାନୀର କ୍ଷତି ହେବାରୁ ବନ୍ଦ ରଖାଯାଇଛି । କମ୍ପାନୀ କେବେ ଖୋଲିବ ତାହା ଅନିଶ୍ଚିତତା ଭିତରେ ରହିଥିବା ବେଳେ ଆଉ ୨ଟି ପ୍ଲାଂଟ କେବେ ତିଆରି ହେବ ତାକୁ ନେଇ ପ୍ରଶ୍ନ କରିଛନ୍ତି ଟିଟାନିୟମ୍ ପ୍ଲାଂଟ ପାଇଁ ଜମି ଦେଇଥିବା ଲୋକେ ।