କନକ ବ୍ୟୁରୋ: ଆଉ କିଛି ଦିନ ଭିତରେ ହୁଏତ ମାଷ୍ଟର କ୍ୟାଂଟିନ ଛକରେ ଥିବା ଏହି ଐତିହ୍ୟ ଏଠାରେ ଦେଖିବାକୁ ମିଳିବନି । କେଇ କିଲୋମିଟର ଦୁରରେ ଥିବା ରାଜଭବନ ଛକ ନିକଟକୁ ଉଠାଇ ନେବାକୁ ତିଆରି ହୋଇଛି ଯୋଜନା ।
ଯୋଜନା ମୁତାବକ ଯଦି ଏହାକୁ ବାସ୍ତବତାର ରୁପ ଦିଆଯାଏ, ତେବେ ଦଶନ୍ଧି ଦଶନ୍ଧି ଧରି ରାଜଧାନୀର ପରିଚୟ ହୋଇଥିବା ଏହି ଐତିହ୍ୟଟି ତାର ଠିକଣା ବଦଳାଇବ । ସ୍ୱାଭାବିକ ଭାବେ ମନରେ ପ୍ରଶ୍ନ ଉଠିବ, କାହିଁକି ଏଭଳି ପଦକ୍ଷେପ ନେବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି ।
-ମାଷ୍ଟର କ୍ୟାଂଟିନ ଛକରେ ଷ୍ମାର୍ଟ ଜନପଥ ପ୍ରକଳ୍ପ ପାଇଁ ଏହି ପଦକ୍ଷେପ ନିଆଯାଇଛି
-୮୦ କୋଟିରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପରେ ବାଧା ଆଣୁଥିଲା ଐତିହ୍ୟ
-ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ ପକ୍ଷରୁ ଐତିହ୍ୟ ହଟାଇବାକୁ ଅନୁରୋଧ
-ସଂସ୍କୃତି ବିଭାଗ, ବିଏମସି ଓ ବିଡିଏ ଅଧିକାରୀଙ୍କ ବୈଠକରେ ସ୍ଥାନାନ୍ତରଣ ନିଷ୍ପତ୍ତି
-ରାଜଭବନ ନିକଟରେ ଥିବା ମଧୁବାବୁଙ୍କ ପ୍ରତିମୁର୍ତ୍ତି ନିକଟରେ ଏହାକୁ ରଖାଯିବ
କାଳିଆ ଘୋଡାରେ ଚଢିବି, ମଧୁ ବାବୁ ସଙ୍ଗେ ଲଢିବି । ପିଲାବେଳୁ ଏହି ଉକ୍ତିକୁ ସମସ୍ତେ ଶୁଣି ବଡ ହୋଇଛନ୍ତି । ଆଉ ଏବେ ଏହାକୁ ଆଧାର କରି ମାଷ୍ଟରକ୍ୟାଂଟିନରେ ଥିବା ଘୋଡାକୁ, ମଧୁବାବୁଙ୍କ ନିକଟକୁ ନେବାକୁ ଉଦ୍ୟମ କରାଯାଇଛି । ସଂସ୍ୃତି ବିଭାଗ ପକ୍ଷରୁ କୁହାଯାଇଛି, ରାଜଧାନୀରେ ଅନ୍ୟ କୈାଣସି ସ୍ଥାନରେ ପ୍ରତିମୁର୍ତ୍ତିକୁ ରଖିବାକୁ ଆବଶ୍ୟକୀୟ ସ୍ଥାନ ନଥିବାରୁ ଏଭଳି ନିଷ୍ପତ୍ତି ହୋଇଛି । ଯେହେତୁ ଏହା ରାଜଧାନୀର ପରିଚୟ, ତେଣୁ ସ୍ଥାନାନ୍ତର ସମୟରେ ଯେଭଳି ଐତିହ୍ୟ ପ୍ରତି କୈାଣସି ଅସୁବିଧା ନଆସେ, ସେଥିପାଇଁ ଯତ୍ନବାନ ରହିବ ବିଡିଏ ।
ତେବେ ସ୍ମାର୍ଟସିଟି ପାଇଁ ପ୍ରତିମୁର୍ତ୍ତି ହଟାଇବା ନିଷ୍ପତ୍ତିକୁ ବିରୋଧ ଆରମ୍ଭ ହୋଇଛି । ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଏହି ପ୍ରତିମୁର୍ତ୍ତିକୁ ହଟାଇବାକୁ ନେଇ ଆରମ୍ଭ ହୋଇଛି ବିବାଦ । ମୈାଳିକତାକୁ ଆଘାତ ଦେଇ ପରିବର୍ତ୍ତନକୁ ଗ୍ରହଣ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପୁଜ୍ୟପୁଜା ସଂସ୍ୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ।
୧୯୮୮ରେ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଏହି ଘୋଡାକୁ ସ୍ଥାପନ କରାଯାଇଥିଲା, ନିକଟରେ ମଧ୍ୟ ଅନେକ ନର୍ତ୍ତକୀ ମୁର୍ତ୍ତି ସ୍ଥାନ ପାଇଥିଲା । କୋଣାର୍କ ମନ୍ଦିରର ଶୋଭା ବଢାଉଥିବା ଯୁଦ୍ଧ ଘୋଡା ଢାଂଚାରେ ହୋଇଥିଲା ଏହାର ନିର୍ମାଣ । ସ୍ୱର୍ଗତ ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ସରକାରୀ ଚିହ୍ନର ମଧ୍ୟଭାଗରେ ସ୍ଥାନ ଦିଆଯାଇଥିଲା ।