ଅସହାୟ ଲୋକଙ୍କ ପାଇଁ ଯୋଜନା ସାତ ସାପନ : ପାଣି ଭିତରେ କଟୁଛି ବୃଦ୍ଧଙ୍କ ଜୀବନ । ଜୀବନକୁ ବାଜି ଲଗାଇ ପାଣି ଘେରରେ ରାତି କାଟୁଛନ୍ତି ତାରିଣୀ । ପଥର ଟିଏ ପାଲଟିଛି ରୋଷେଇ ଘର । ବର୍ଷା ଦିନେ ବଢୁଛି କଷ୍ଟ, ସରକାରୀ ସହାୟତା ଅପେକ୍ଷାରେ ଅସହାୟ ବୃଦ୍ଧ

119

କନକ ବ୍ୟୁରୋ : ପାଣି ଭିତରେ କଟୁଛି ବୃଦ୍ଧଙ୍କ ଜୀବନ । ଟିକିଏ ବର୍ଷା ଲାଗି ରହିଲେ ଘର ଚାରିପଟେ ସୃଷ୍ଟି ହେଉଛି ପୋଖରୀ ପରି ଦୃଶ୍ୟ । ଏ ଚିତ୍ର ଆସିଛି ଯାଜପୁର ବ୍ଲକ୍ ଅନ୍ତର୍ଗତ ଭୂଇଁପୁର ପଂଚାୟତର ହରିପୁର ଗାଁରୁ । ସରକାରଙ୍କ ମାଳମାଳ ଯୋଜନା ଥିଲେ ମଧ୍ୟ ଏହି ଅସହାୟ ବୃଦ୍ଧ ଭଂଗା ଦଦରା ଘରେ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ଗୋଟିଏ ପଟେ ଲକ୍ଷଲକ୍ଷ ଟଙ୍କାରେ ଗୋଚର ଜମି ଉପରେ ପାର୍କ ନିର୍ମାଣ ହେଉଥିବା ବେଳେ ଠିକ ତାର ବିପରୀତ ଦିଗରେ ଜଣେ ବେସାହାର ଲୋକ ଭଙ୍ଗା ଘରେ ଜଳବନ୍ଦୀ ଭିତରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି ।

ଦୀର୍ଘ ଦିନରୁ ସରକାରୀ ଜାଗାରେ ଘର କରି ମୁଣ୍ଡ ଗୁଞ୍ଜୁଥିବା ତାରିଣୀକୁ ଏବେ ସ୍ଥାନାନ୍ତରିତ କରାଯାଇଛି । ଗାଁର ଉନ୍ନତି କାର୍ଯ୍ୟ କରିବା ପାଇଁ ସରପଞ୍ଚ ଗୋଚର ଜମିରେ ମାଟି ପକାଇ ୬ ଲକ୍ଷ ଟଙ୍କା ବ୍ୟୟରେ ପାର୍କ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏପରିକି ଗାଁର ପ୍ରସିଦ୍ଧ କତରାପୁର କାଳୀ ମନ୍ଦିରକୁ ଉଧିଷ୍ଟ ଥିବା କଂକ୍ରିଟ ରାସ୍ତା ଉପରେ ମାଟି ପକାଯାଇଛି । ଫଳରେ ଜଳ ନିଷ୍କାସନ ହେଉ ନଥିବା ବେଳେ ରାସ୍ତାର ଅପରପାର୍ଶ୍ଵରେ ଘର କରି ରହିଥିବା ତାରିଣୀ ଏବେ ଜଳବନ୍ଦୀରେ ରହୁଛନ୍ତି । ତାରିଣୀଙ୍କ ଘର ଚାରି ପାଖେ ଜମି ରହିଛି ବର୍ଷା ଜଳ । ବର୍ଷା ଲାଗି ରହିଥିବାରୁ ଘରଟି ଭାଙ୍ଗି ମାଟିରେ ମିଶିଛି । ତାଙ୍କର ଏହି ଦୁଃଖ କାହାଣୀ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ସେ ଏନେଇ କର୍ଣ୍ଣପାତ କରୁ ନଥିବା ବୃଦ୍ଧ ଜଣକ ଅଭିଯୋଗ କରିଥିବା ବେଳେ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ବୃଦ୍ଧଙ୍କ ସମସ୍ୟା ସଂପର୍କରେ ସ୍ଥାନୀୟ ସମିତିସଭ୍ୟା ବାରମ୍ବାର ଯାଜପୁର ବିଡିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଯାଜପୁର ବିଡିଓ ଏହାକୁ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଛି। 

ବର୍ଷା ଯୋଗୁ ଘର ଚାରିପାଖେ ପାଣି ଜମି ରହିବାକୁ ଘର କାନ୍ଥ ଭୁଷୁଡି ପଡିଛି । ଶୋଇବାକୁ କି ଖାଇବାକୁ ଜାଗାଟିଏ ନାହିଁ । ପଥର ଟିଏ ପାଲଟିଛି ରୋଷେଇ ଘର। ଏହାରି ଉପରେ ଇଟା ଥୋଇ ତାରିଣୀ ପ୍ରଧାନ ରୋଷେଇ କରୁଛନ୍ତି । ଜୀବନକୁ ବାଜି ଲଗାଇ ପାଣି ଘେରରେ ରାତି କାଟୁଛନ୍ତି ବୃଦ୍ଧ ଜଣକ। ଘରକୁ ଯିବାକୁ ହେଲେ ପାଣିରେ ପଶି ଯିବାକୁ ପଡୁଛି । ନିର୍ମାଣ କାର୍ଯ୍ୟ ଯୋଗୁ ପାଣି ନିଷ୍କାସନ ବାଟକୁ ମାଟି ପକାଇ ବନ୍ଦ କରାଯାଇଥିବାରୁ ସାମାନ୍ୟ ବର୍ଷାରେ ଆଣ୍ଠୁଏ ଲେଖାଏଁ ପାଣି ଘର ପାଖରେ ଜମି ରହୁଛି । ପୂର୍ବରୁ ବୃଦ୍ଧ ଜଣକ ରହୁଥିବା ସ୍ଥାନକୁ ପାର୍କ କାର୍ଯ୍ୟରେ ବ୍ୟବହାର କରାଯାଇଥିବାରୁ ଏବେ ବୃଦ୍ଧଙ୍କୁ ସେହି ପାଣି ଘେରକୁ ପଠାଇ ଦିଆଯାଇଛି ।

କିନ୍ତୁ ସେଠାକାର ଯନ୍ତ୍ରଣା ଏବେ ବୃଦ୍ଧଙ୍କ ପକ୍ଷେ ସହିବା ସମ୍ଭବ ହେଉନି । ରାତି ହେଲେ ସରୀସୃପ ଭୟରେ କିଛି ଦିନ ହେବ ସ୍ଥାନୀୟ ସ୍କୁଲ ଘରେ ରାତି କାଟୁଛନ୍ତି । ତେବେ ଏନେଇ ଯାଜପୁର ବିଡିଓ ସୌରଭ ଚକ୍ର ବର୍ତ୍ତୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନର ଉତ୍ତର ଦେଇନାହାନ୍ତି।