ବିବାହକୁ ରୋକି ପାରିଲାନି ମହାମାରୀ : ପିପିଇ କିଟ୍ ପିନ୍ଧି ବିବାହ କଲେ ବର-କନ୍ୟା : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ରାଜସ୍ଥାନରୁ ଆସିଲା ଦୃଶ୍ୟ

445

କନକ ବ୍ୟୁରୋ : ପିପିଇ କିଟ ପିନ୍ଧି ବିବାହ । ବିବାହକୁ ରୋକି ପାରିଲାନି ମହାମାରୀ । କରୋନାରେ ସଂକ୍ରମିତ ହୋଇବି କୋଭିଡ଼ ସେଂଟରରେ ପିପିଇ କିଟ ପିନ୍ଧି ବିବାହ କରିଛନ୍ତି ବର କନ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ବାରା ସାହାବାଦ କୋଭିଡ ସେଂଟରରେ । ଗତକାଲି କୋଭିଡ଼ ସେଂଟରରେ ହୋଇଥିବା ଏହି ବିବାହ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ।

ବର-କନ୍ୟାଙ୍କ ସହ ପୂଜକ ଓ ପରିବାର ସଦସ୍ୟ ପିପିଇ କିଟ୍ ପିନ୍ଧି ବିବାହରେ ସାମିଲ ହୋଇଛନ୍ତି । ବାହାଘର ଦିନ କନ୍ୟା କରୋନା ପଜିଟିଭ୍ ଥିବା ଜାଣିବାକୁ ମିଳିଥିଲା । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସମସ୍ତେ ଚିନ୍ତାରେ ପଡ଼ି ଯାଇଥିଲେ । ହେଲେ ପଜିଟିଭ ପରେ ବି ହାତ ଛାଡ଼ି ନଥିଲା ବର । ସଂକ୍ରମଣ ସତ୍ୱେ ବି ସାତ ଜନମର ସାଥୀ କରିବାକୁ ଦେଇଥିଲା ଦୃଢ ପ୍ରତିଶ୍ରୁତି । କନ୍ୟା ସଂକ୍ରମିତ ଥିବାରୁ ତାଙ୍କୁ କୋଭିଡ ସେଂଟର ପଠାଇ ଦିଆଗଲା ।

ତାଙ୍କ ସହ ବରଙ୍କୁ ବି କୋଭିଡ ସେଂଟର ପଠାଗଲା । ଉଭୟ କୋଭିଡ ସେଂଟରରେ ପହଂଚିିବା ପରେ ସରକାରଙ୍କ କୋଭିଡ୍ ଗାଇଡଲାଇନ ଅନୁସାରେ ପରସ୍ପରକୁ ବିବାହ କରିଛନ୍ତି । ମହାମାରୀ ବେଳେ ମରୁଭୂମି ରାଇଜରୁ ନୂଆ ଜୀବନ ଆରମ୍ଭର ନିଆରା କାହାଣୀ ଏବେ ସବୁଠି ଚର୍ଚ୍ଚାରେ ରହିଛି ।