କନକ ବ୍ୟୁରୋ : ଖବର ପ୍ରସରାଣ ପରେ ଚେତିଲା ପ୍ରଶାସନ । କନ୍ଧମାଳରୁ ଆସିଥିବା ଦୃଶ୍ୟ ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛି । ନଦୀ ଉପରେ ପୋଲଟିଏ କରିପାରୁନଥିବା ପ୍ରଶାସନ ଲୋକ ବାନ୍ଧିଥିବା ବିଦ୍ୟୁତ ତାରକୁ ଖୋଲି ଦେଇଛି । ଫଳରେ ଲୋକ ପାଣି ଭିତରେ ପଶି ଯାତାୟତ କରୁଛନ୍ତି । ନଦୀର ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ ଯିବା ପାଇଁ ଏହି ବିଦ୍ୟୁତ ତାର ପାଲଟିଥିଲା ସାହାରା । ବିପଦସଙ୍କୁଳ ଅବସ୍ଥାରେ ତାର ଉପରେ ଚାଲି ଚାଲି ନଦୀର ଗୋଟିଏ ପଟରୁ ଆର ପଟକୁ ଯିବା ଆସିବା କରୁଥିଲେ ଲୋକେ । ପିଲା ଠାରୁ ବୁଢା ଯାଏଁ ସମସ୍ତଙ୍କୁ ଏମିତି ପାର ହେଉଥିଲେ ।

Advertisment

ସ୍କୁଲ, କଲେଜ, ମେଡିକାଲ ବଜାରଘାଟକୁ ଯିବା ସହ ସରକାରୀ ଭତା ଆଣିବାକୁ କନ୍ଧମାଳ ଜିଲ୍ଲା କ.ନୂଆ ଗାଁ ବ୍ଲକ ଗୁଞ୍ଜିବାଡି ପଂଚାୟତ ବିରିନ୍ଦାପଡା ଗାଁର ଲୋକେ ଏହି ତାର ସହାଯ୍ୟରେ ପାଣି ପାରି ହେଉଥିଲେ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ପ୍ରଶାସନର ଚେତା ପଶିଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ କାଳିପେନୁ ନଦୀ ଉପରେ ବନ୍ଧା ଯାଇଥିବା ତାରକୁ ଖୋଲି ଦେଇଛି । ସ୍ଥାନୀୟ ଲୋକେ ନଦୀର ଦୁଇ ପଟେ ଥିବା ଗଛରେ ତାର ବାନ୍ଧି ଯାତାୟତ କରୁଥିଲେ । ପ୍ରଶାସନ ସେହି ତାରକୁ ଖୋଲି ଦେବା ପରେ ଗାଁକୁ ଯିବା ପାଇଁ ୬ କିଲୋମିଟର ରାସ୍ତା ଚାଲିବାକୁ ପଡୁଛି ।

ଅଧିକ ବୁଲାଣି ପଡୁଥିବାରୁ ଲୋକ ପାଣିରେ ପଶି ଯିବା ଆସିବା କରୁଛନ୍ତି । ବିରିନ୍ଦାରପଡାରେ ଶହେରୁ ଅଧିକ ପରିବାର ରହୁଛନ୍ତି । ଲୋକଙ୍କ ସୁବିଧା ପାଇଁ କାଳିପେନୁ ନଦୀ ଉପରେ ପୋଲଟିଏ ନିର୍ମାଣ କରିବାକୁ ବାରମ୍ବାର ଅନୁରୋଧ କରିଛନ୍ତି । ହେଲେ କୌଣସି ପ୍ରଶାସନିକ ଅଧିକାରୀ ନ ଶୁଣିବାରୁ ବାଧ୍ୟ ହୋଇ ଗାଁ ଲୋକେ ବିଜୁଳ ତାର ଟାଣି ତା ଉପରେ ବିପଦ ସଙ୍କୁଳ ଅବସ୍ଥାର ନଦୀ ପାର ହେଉଥିଲେ ।