ସହରର ଚାକଚକ୍ୟ ଭିତରେ ବାରି ହୋଇପଡୁଛି ଜୀବନର ବିକଳ ଚିତ୍ର । ଧୁଡୁ ଧୁଡୁ ଦେହରେ ପରିଶ୍ରମ କରି ଗଡିଚାଲି ଜୀବନର ଗାଡି ।

171

କନକ ବ୍ୟୁରୋ: ଭାଗ୍ୟ ଏମାନଙ୍କ ଠାରୁ ଘର ପରିବାର ସବୁକିଛି ଛଡାଇ ନେଇଛି । ନାଁ ଆହା କହିବାକୁ କେହି ଅଛି ନା ସାହା ହେବାକୁ କେହି ଅଛି । ତଥାପି ଜୀବନ ଚାଲିଛି ,ଚାଲିବ ଏଇ ଦୃଢ ଇଚ୍ଛା ନେଇ ବଞ୍ଚୁଛନ୍ତିି ଚକାଚକ୍ ଇସ୍ପାତ୍ ନଗରୀର ଏହି ମଣିଷ ।

ଚାରିଆଡେ ଇସ୍ପାତ୍ ନଗରୀର ରଙ୍ଗିନ୍ ଛବି । ତଥାପି ଲୁଚୁନି ଅସହାୟ ମଣିଷର ବିକଳ ଚିତ୍ର । ସତେ ଯେମିତି କାହା ଆସିବା ବାଟକୁ ଅପେକ୍ଷା କରିଛି ଏହି ଜୁଳୁ ଜୁଳୁ ଆଖି । ପରିବାରର ସୁଖ ଏମାନଙ୍କ କଳ୍ପନାର ବାହାରେ । ସବୁ କିଛି ହରାଇବା ପରେ ଷ୍ଟିଲ ସିଟି ରାଉରକେଲାକୁ ପେଟ ପୋଷିବାକୁ ଚାଲିଆସିଲେ । ଏଠିବି ମିଳୁନି ରାହା । ମୁଣ୍ଡ ଗୁଞ୍ଜିବାକୁ ଯାହା ଭାରଷା ଖଣ୍ଡେ ପଲିଥିନ୍ । ରାସ୍ତା ମଝି ଡିଭଇଡର ଉପରେ ପଲିଥିନ ଖଣ୍ଡେ ଟାଙ୍ଗି ବିତୁଛି ଜୀବନ । ରାସ୍ତା ଉପରେ ଚାଲିଛି ଖାଦ୍ୟ ରନ୍ଧା । ଖାଇବା କହିଲେ ଭାତ ସାଙ୍ଗକୁ ଲୁଣ ଲଙ୍କା ଟିକେ ହେଲେ ହେଇଗଲା । ଏ ହେଉଛି ରାଉରକେଲା ଗାନ୍ଧୀ ରୋଡର ଦୃଶ୍ୟ । ବୟସ ୬୦ ଟପିଲାଣି । ସ୍ତ୍ରୀ କୁଆଡେ ଚାଲିଗଲା ପରେ ଦୁଇ ପିଲାଙ୍କୁ ମଣିଷ କରିବାକୁ ଆଶ୍ରମ ସ୍କୁଲରେ ଛାଡିଦେଇଛନ୍ତି ଏହି ବୃଦ୍ଧ । ଆଉ ରାଉରକେଲା ସହରର ଡମ୍ପିଙ୍ଗୟାର୍ଡକୁ କରିଛନ୍ତି ଭରଷା । ସକାଳେ ହେବା ମାତ୍ରେ ଏଠାରେ ଯାହା ଅଳିଆ ଅବାର୍ଜନା ଆସି ପଡେ ସେଥିରୁ ପ୍ଲାଷ୍ଟିକ୍ ବୋତଲ, ଛିଣ ଡବା, କାର୍ଟୁନ ଆଦି ସଂଗ୍ରହ କରନ୍ତି । ସେଥିରୁ ଯେଉଁ ଦି ପଇସା ମିଳେ ସେଥିରେ ଦିଟା ଦାନା ଫୁଟାଇ ଖାଆନ୍ତି ।

ଏ ବୃଦ୍ଧ ଲୋକ ଜଣଙ୍କ ଅବସ୍ଥା ବି ଆହୁରି ଦୟନୀୟ । ଦୀର୍ଘ ୬୦ ବର୍ଷ ହେବ ଏଇ ଝୁପୁଡିରେ କଟୁଛି ଜୀବନ । ମାନସିକ ରୋଗୀଣା ସ୍ତ୍ରୀକୁ ନେଇ ଦି ହାତ ଜାଗାରେ ପଡିରହିଛନ୍ତି । ସରକାରୀ ଯୋଜନା ବିଷୟରେ ସେ ପୁରା ଅଜଣା । ତଥାପି କିଛି ଅଭିଯୋଗ ନାହିଁ । ହାତ ଗୋଡ ଚାଲୁଥିବା ଯାଏଁ ଖଟି ଖାଇବାର ଦୃଢ ଇଚ୍ଛା ମନରେ ବସା ବାନ୍ଧିଛି ।

ଆଉ ଏ ବ୍ୟକ୍ତି ଜଣଙ୍କ ପାଇଁ ଏହି ଭଙ୍ଗା ଅଟୋ ହେଉଛି ପୁରା ଦୁନିଆଁ । ଦିନ ସାରା ଜରି ଗୋଟାଇ ମଣ୍ଡିରେ ଦେବା ପରେ ବାକି ସମୟ କଟିଯାଏ ଏହି ଅଟୋ ଭିତରେ ।
ଏସବୁ ଭିତରେ ବି ଗୋଟିଏ ବଡ କଥା ହେଉଛି ଦାରିଦ୍ର୍ୟ ଓ ବୟସର ଶେଷ ସମୟରେ ବି ହାରିନି ଜୀବନ । ଆଜିକାଲି ଭିକମାଗିବାକୁ ଅନେକ ସହଜ ବାଟ ବୋଲି ଧରିନେଉଥିବାବେଳେ ଏମାନେ କିନ୍ତୁ ଭିକ୍ଷାବୃତ୍ତି ଠାରୁ ଅନେକ ଦୂରରେ । ଆଶା ଓ ବିଶ୍ୱାସ ଏହି ଖବର ଦେଖିବା ପରେ ରାଉରକେଲା ପ୍ରଶାସନ ଏମାନଙ୍କୁ ବଢାଇବେ ସାହାଯ୍ୟର ହାତ ।