ଡିସେମ୍ବର ସୁଦ୍ଧା ବଜାରକୁ ଆସିପାରେ ଫାଇଜରର କୋଭିଡ ଟିକା : ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ଏଫଡିଏକୁ ମାଗିଲା ଅନୁମତି

ଚଳିତ ବର୍ଷ ୫୦ମିଲିୟନ କରୋନା ଟିକାର ଡୋଜ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ଫାଇଜର କଂପାନୀ

237

କନକ ବ୍ୟୁରୋ : ଫାଇଜର ନିଜ କରୋନା ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନର ଅନୁମତି ଲୋଡିଛି । ଫାଇଜର ଓ ବାୟୋଏନଟେକ ମିଳିତ ଭାବେ ବିକଶିତ କରୁଥିବା କୋଭିଡ ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି ବୁଧବାର ବଡ ଘୋଷଣା କରିଥିଲେ । ଏହାର ଦିନକ ପରେ ଅର୍ଥାତ ଗୁରୁବାର ଏଫଡିଆଇକୁ ଟିକାର ଜରୁରୀ ବ୍ୟବହାର ଅନୁମତି ମାଗିଥିବା ଜଣାପଡିଛି । ଫାଇଜର କଂପାନୀ କହିଛି ଆମେରିକାରେ ଡିସେମ୍ବର ମାସରେ ଟିକାର ବ୍ୟବହାର ପାଇବା ପାଇଁ ଏଫଡିଏ ପାଖରେ ଆବେଦନ କରାଯାଇଛି ।

ଫାଇଜର କଂପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଅଲବର୍ଟ ବୌରଲା ଏହି ସୂଚନା ଦେଇଛନ୍ତି । ୧୨ରୁ ୧୫ ବର୍ଷର ଶହେ ପିଲା ଓ ୪୫ ପ୍ରତିଶତ ୫୬ରୁ ୮୦ବର୍ଷ ବୟସ୍କଙ୍କ ଦେହରେ କରୋନା ଟିକା ପରୀକ୍ଷଣର ତଥ୍ୟକୁ ଆବେଦନ ପତ୍ରରେ ଦିଆଯାଇଛି । ଡିସେମ୍ବର ଶେଷ ସୁଦ୍ଧା କୋଭିଡ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ଫାଇଜର ଆଶାବାଦୀ ରହିଛି । ଫାଇଜର କଂପାନୀ କହିଛନ୍ତି ଚଳିତ ବର୍ଷ ପ୍ରାୟ ୫୦ ମିଲିୟନ ଟିକାର ଡୋଜ ପ୍ରସ୍ତୁତ ହେବ ଯାହା ୨୫ମିଲିୟନ ଲୋକଙ୍କ ଜୀବନ ରକ୍ଷା କରିବାକୁ ସକ୍ଷମ ।