ନିଶା ଖାଇ ଖଣ୍ଡା ବୁଲାଇଲେ ଫାର୍ମାସିଷ୍ଟ : ଆକ୍ରମଣରେ ବାଲେଶ୍ୱର ଇଡିଦା ଗାଁର ୪ ଜଣ ଆହତ

କାବୁ କରିବାକୁ ଆସିଥିବା ପୋଲିସକୁ ବି ଗୋଡାଇଲେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରର ମଦ୍ୟପ ଅଧିକାରୀ; ତୁରନ୍ତ ବଦଳି ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

623

କନକ ବ୍ୟୁରୋ : ନିଶା ଖାଇ ହାତରେ ଖଣ୍ଡା ଓ କଟୁରୀ ଧରି ଲୋକଙ୍କୁ ଗୋଡାଇଲେ ଫାର୍ମାସିଷ୍ଟ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ହାତରେ ହତିଆର ଧରି ଲୋକଙ୍କ ଉପରକୁ ଆକ୍ରମଣ କରୁଥିବା ଏହି ବ୍ୟକ୍ତି କୌଣସି ପେଶାଦାର ଅପରାଧୀ ନୁହନ୍ତି । ବରଂ ବାଲେଶ୍ୱର ଜିଲ୍ଲା ଇଡିଦା ଗାଁରେ ଥିବା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସୁବାଶିଷ ଟୁଡୁ । ନିଶାଶକ୍ତ ଅବସ୍ଥାରେ ଏହିଭଳି ନିଜ ଉପରୁ ନିୟନ୍ତ୍ରଣ ହରାଇ ହିଂସ୍ର ହୋଇପଡିଥିଲେ ସ୍ୱାସ୍ଥ୍ୟ ଅଧିକାରୀ ଜଣକ ।

ତାଙ୍କ ଆକ୍ରମଣରେ ଗାଁର ୪ ଜଣ ଲୋକ ଆହତ ହୋଇଛନ୍ତି । ଗାଁଲୋକେ ତାଙ୍କୁ ବାକୁ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ସିଂଲା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତାଙ୍କୁ କରିବାକୁ ଚେଷ୍ଟା କରିବାରୁ ସେ ପୋଲିସକୁ ମଧ୍ୟ ଗୋଡାଇଥିଲେ । ହେଲେ ପୋଲିସ ତାଙ୍କୁ କୌଶଳକ୍ରମେ କାବୁ କରି ଥାନାକୁ ନେଇ ଯାଇଥିଲା । ଏହି ଫାର୍ମାସିଷ୍ଟ ଜଣକ ପୂର୍ବରୁ ମଧ୍ୟ ଏଭଳି କାଣ୍ଡ ଭିଆଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କୁ ଅନ୍ୟତ୍ର ବଦଳି କରିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଗାଁ ଲୋକ ।