ନୂଆ ମୋଡ଼ରେ କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ। କ୍ରୀଡ଼ାମନ୍ତ୍ରୀଙ୍କ ଉପରେ ଆସିଲା ଅଭିଯୋଗ।

487

କନକ ବ୍ୟୁରୋ: ୧୦ଦିନ ବିତିଗଲାଣି । କିନ୍ତୁ ବାହାରିପାରୁନି ନିଷ୍କର୍ସ । ଭାରତୀୟ କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ଉପରେ ମହିଳା କୁସ୍ତିଯୋଦ୍ଧା ସଂଗୀନ ଅଭିଯୋଗ ଆଣିଛନ୍ତି । ଖରା, ବର୍ଷା ଭିତରେ ଜନ୍ତରମନ୍ତରରେ ଧାରଣାରେ ମଧ୍ୟ ବସିଛନ୍ତି । ସେମାନଙ୍କ ଗୋଟିଏ ଦାବି ରହିଛି । ବ୍ରିଜଭୂଷଣ ନିଜ ପଦରୁ ଇସ୍ତଫା ଦିଅନ୍ତ ଓ ତାଙ୍କୁ ଜେଲ ପଠାଯାଉ । ଏହା ଭିତରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପରେ ଅଭିଯୋଗ ଆଣିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ଭିନେଶ କହିଛନ୍ତି ମାମଲାକୁ କ୍ରୀଡ଼ାମନ୍ତ୍ରୀ ଗମ୍ଭୀରତା ସହ ଗ୍ରହଣ କରୁନାହାଁନ୍ତି । ବାରମ୍ବାର ଅଭିଯୋଗ କରିବା ସତ୍ତେ୍ୱ ମନ୍ତ୍ରୀ ଅଭିଯୋଗ ଶୁଣୁନାହାଁନ୍ତି । କମିଟି ଗଠନ କରି ମାମଲାକୁ ଚପାଇବା ପାଇଁ ଉଦ୍ୟମ କରାଯାଉଛି । ବ୍ରିଜଭୁଷଣ ମୁଣ୍ଡରେ ଶକ୍ତିଶାଳୀ ଲୋକଙ୍କ ଆର୍ଶୀବାଦର ହାତ ରହିଛି । ତେଣୁ ଅଭିଯୋଗ ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ଶକ୍ତିଶାଳୀ ବ୍ୟକ୍ତିଙ୍କ ସମ୍ମୁଖରେ ଛିଡା ହେବା ମୁସ୍କିଲ ।

ସେପଟେ ବୁଧବାର କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି ପିଟି ଉଷା । ଜନ୍ତରମନ୍ତରରେ ପହଞ୍ଚି ପିଟି ଉଷା କୁସ୍ତିଯୋଦ୍ଧାଙ୍କୁ ଭେଟିବା ସହ ଆନ୍ଦୋଳନରୁ ଓହରିବା ପାଇଁ ଅପିଲ କରିଥିବା ଜଣାପଡିଛି । କିିଛି ଦିନ ପୂର୍ବରୁ ଆନ୍ଦୋଳନକୁ ନେଇ ପିଟି ଉଷା ଦେଇଥିବା ବୟାନକୁ ବିରୋଧ କରିଥିଲେ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧା । ପିଟି ଉଷା କହିଥିଲେ କୁସ୍ତିଯୋଦ୍ଧାଙ୍କ ଧାରଣା ଦେଶର ଛବିକୁ ଖରାପ କରୁଛି । ଅନ୍ୟପଟେ ଖେଳାଳୀଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି କୁସ୍ତିସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ । ତାଙ୍କ ବିରୋଧରେ କିଛି ଶିଳ୍ପପତି ଓ ରାଜନେତା ଖେଳାଳୀଙ୍କୁ ହାତ କରି ଷଡଯନ୍ତ୍ର କରୁଛନ୍ତି । ଦିନେ ସତ ଉପରୁ ପର୍ଦ୍ଦା ଉଠିବ ।

ଜାନୁଆରୀ ମାସରେ ପ୍ରଥମ କରି ବ୍ରିଜଭୂଷଣଙ୍କ ନାଁରେ ୪ଜଣ ମହିଳା କୁସ୍ତିଯୋଦ୍ଧା ଯୌନଶୋଷଣ ଓ ଅନ୍ୟ କିଛି ସଂଗୀନ ଅଭିଯୋଗ ଆଣି ଧାରଣା ଦେଇଥିଲେ । ମାମଲାରେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ହସ୍ତକ୍ଷେପ କରି ଏକ କମିଟି ଗଠନ କରାଯିବ ଓ ମାମଲର ସମାଧାନ କରାଯିବ ବୋଲି ଆଶ୍ୱସନା ଦେଇଥିଲେ । ୩ମାସ ବିତିଯାଇଥିଲେ ସୁଦ୍ଧା ପ୍ରତିଶ୍ରୁତି ମୁତାବକ ସମାଧାନ ହୋଇନଥିବା କହି ପୁଣି ଥରେ କୁସ୍ତିଯୋଦ୍ଧା ଧାରଣା ଦେବା ସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବଲିଉଡ କଳାକାର, ରାଜନେତା ଓ ଅନେକ ସାମାଜିକ ସଂଗଠନ ଆଗକୁ ଆସିଛନ୍ତି ।