ପାଣି ପାଇଁ ରାଜରାସ୍ତାରେ ବସିଲେ ଗାଁର ଲୋକ: କେନ୍ଦୁଝର ହାଟଡିହିର ସଙ୍ଗମ ଡେଙ୍ଗାଚୁଆ ବାସୀଙ୍କ ପ୍ରତିବାଦ

58

କନକ ବ୍ୟୁରୋ: ପାଣି ପାଇଁ ରାସ୍ତା ରୋକ । ଦୀର୍ଘ ଦିନ ହେଲା ପାଣି ପିଇବାକୁ ମିଳୁନି । ଯାହାଫଳରେ ହାତରେ ଗରା ବାଲଟି ଧରି ରାସ୍ତାରୋକ କରିଛନ୍ତି ଗାଁର ଲୋକମାନେ । କେନ୍ଦୁଝର ହାଟଡିହିର ସଙ୍ଗମ ଡେଙ୍ଗାଚୁଆରେ ଦୀର୍ଘ ଦିନ ହେଲା ପାଣି ପାଇଁ ଅନେକ ସମସ୍ୟା ଉପୁଜିଛି । ସେଠାରେ ଦୁଇଟି ନଳକୂଅ ଥିବାବେଳେ ସଠିକ୍ ଭାବେ ବାହାରୁନି ପାଣି । ଗୋଟିଏ ନଳକୂଅ ଅଚଳ ହୋଇପଡିଛି । ଆଉ ଗୋଟିଏରୁ ପାଣି ମୁନ୍ଦାଏ ପାଇବାକୁ ଘଂଟା ଘଂଟା ଅପେକ୍ଷା କରିବାକୁ ପଡୁଛି । ପ୍ରତିଥର ପାଣି ସୁବିଧା କରିବାକୁ ଅଭିଯୋଗ କରାଯାଇଛି । ହେଲେ କୌଣସି ସମାଧାନ ହୋଇପାରିନି । ଯାହାଦ୍ୱାରା ପ୍ରତିବାଦ କରିବା ସହ ରାସ୍ତାରୋକ କରିଥିଲେ ଗ୍ରାମବାସୀ ।

ଗାଁରେ ପାଣି ଯୋଗାଇବାକୁ ତିଆରି ହୋଇଛି ପାଣି ଟାଙ୍କି । ହେଲେ ନିମ୍ନ ମାନର କାମ ଯୋଗୁ ଅଧିକାଂଶ ସମୟ ଅଚଳ ହୋଇପଡୁଛି । ୨୦ ଦିନରୁ ଅଧିକ ଦିନ ହେଲା ଟାଙ୍କିରୁ ପାଣି ବି ମିଳୁନି । ଯାହାଫଳରେ ଲୋକମାନେ ପାଣି ପାଇବାରୁ ବଂଚିତ ହୋଇରହିଛନ୍ତି । ପାଣି ଯୋଗୁ ସମସ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ଖୁବଶୀଘ୍ର ପାଣି ଯୋଗାଇବାକୁ ଦାବି କରିଛନ୍ତି ଆନ୍ଦୋନଳକାରୀ । ଗାଁରେ ପାଣି ସୁବିଧା କରାନଗଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାର ଚେତାବନୀ ଦିଆଯାଇଛି ।