ଆଦିବାସୀଙ୍କ ମହୁଚାଷ । ଆଧୁନିକ ପ୍ରଣାଳୀରେ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଗଜପତି ତୁମ୍ବ ଗାଁର ଲୋକେ

89

କନକ ବ୍ୟୁରୋ : ରୋଜଗାର ଦେଇଛି ମହୁଚାଷ । ମହୁଚାଷ କରି ଳାଭବାନ ହେଉଛନ୍ତି ଗଜପତି ଜିଲ୍ଲାର ଆଦିବାସୀ । ଆଧୁନିକ ପ୍ରଣାଳୀରେ ବାଡି ବଗିଚାରେ ଅତି ସହଜରେ ମହୁ ସଂଗ୍ରହ ହୋଇପାରୁଥିବାରୁ ଏହି ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । ଗଜପତି ଜିଲ୍ଲା କଇଁପୁର ପଂଚାୟତର ତୁମ୍ବ ଗ୍ରାମରେ ହେଉଛି ଏଭଳି ଚାଷ ।

ଗଜପତି ଜିଲ୍ଲାର ଆଦିବାସୀ ଇଲାକାରେ ଆଧୁନିକ ପ୍ରଣାଳୀରେ ଚାଷ ହେଉଛି ମହୁ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଗ୍ରାମବିକାଶ’ର ପ୍ରୋତ୍ସାହନରେ କଇଁପୁର ଅଞ୍ଚଳରେ ଆରମ୍ଭ ହୋଇଥିଲା ମହୁଚାଷ । ତୁମ୍ବ, ଜଡା, ତିତିଲି, ଲାଣ୍ଡୁସାହି ଆଦି ଗ୍ରାମର ଶତାଧିକ ପରିବାର ମହୁଚାଷ ପ୍ରତି ମନ ବଳାଇଥିଲେ । ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ତାଲିମ ନେବା ପରେ ଆଗ୍ରହୀ ଚାଷୀଙ୍କୁ ମହୁମାଛି ଘର ସହ ରାଣୀ ମହୁମାଛି ପ୍ରଦାନ କରାଯାଇଥିଲା । ଏଠାରୁ ସଂଗୃହିତ ମହୁର ଭଲ ଚାହିଦା ଥିବାରୁ ବିକ୍ରିବଟା ପାଇଁ କୌଣସି ସମସ୍ୟା ସୃଷ୍ଟି ହୋଇନଥିଲା ।

ତେବେ ତିତିଲି ମହାବାତ୍ୟାରେ ମହୁ ବାକ୍ସ ଓ ଅନ୍ୟାନ୍ୟ ସରଞ୍ଜାମ ନଷ୍ଟ ହୋଇଯିବାରୁ ଏହାକୁ ସଜାଡି ନପାରି କ୍ଷତିଗ୍ରସ୍ତ ହୋଇଥିଲେ ଅନେକ ଚାଷୀ । ସରକାରଙ୍କ ପକ୍ଷରୁ ଉଜୁଡି ଯାଇଥିବା ସରଞ୍ଜାମ ପୁଣିଥରେ ଯୋଗାଇ ଦେଲେ ସେମାନେ ପୁଣିଥରେ ରୋଜଗାରକ୍ଷମ ହୋଇପାରିବେ ବୋଲି ଆଶା ରଖିଛନ୍ତି ଚାଷୀ ।

ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭନ୍ନ ପଦକ୍ଷେପ ନିଆଯାଇଛି । ତେବେ ତିତିଲି ମହାବାତ୍ୟା ପରଠାରୁ ଆଜି ସୁଦ୍ଧା ସହାୟତା ଯୋଗାଇ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଚାଷୀ । ତେବେ ଚାଷୀଙ୍କୁ ସେମାନଙ୍କ ସରଞ୍ଜାମ ସଜାଡିବା ପାଇଁ ସହାୟତା ଏବଂ ଆଗ୍ରହୀ ଚାଷୀଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ।

ମହୁଚାଷୀଙ୍କୁ ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରୁତି ମିଳିଥିବା ବେଳେ ଏହା ଉପାନ୍ତ ଇଲାକାର ଅଧିବାସୀଙ୍କ ରୋଜଗାର ବଢ଼ାଇବ ବୋଲି ଆଶା କରାଯାଉଛି ।