କନକ ବ୍ୟୁରୋ: ବଣ ପାହାଡ ଘେରା ଗାଁ । ହେଲେ ପରିଚୟ ନାହିଁ ଲୋକଙ୍କର । ଭୋଟ୍ ପରିଚୟପତ୍ର ନଥିବା ବେଳେ ନିର୍ବାଚନରେ ଲୋକେ ଭୋଟ୍ ଦେବେ କାହାକୁ? ୨୦ ଟି ପରିବାର ବାସ କରୁଥିବା ଏହି ଗାଁ ଲୋକଙ୍କର ନାହିଁ ଭୋଟର ତାଲିକାରେ ନା । ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ବେଳେ ଦୁର୍ବିସହ ଜୀବନ ଜୀଉଁଛନ୍ତି ଧରାକୋଟ ବ୍ଲକ ବରଡାବିଲି ପଞ୍ଚାୟତର ଗାଁ ଦନ୍ତାରି ନାଳ ବାସିନ୍ଦା ।

ଏଠାକୁ ଯିବାକୁ ହେଲେ ୪ କିଲୋମିଟର ପାହାଡରେ ପାଦ ଚଲା ରାସ୍ତାରେ ଯିବାକୁ ହୁଏ । ଦୀର୍ଘ ୧୨ ବର୍ଷ ହେବ ଭୋଟ ଖଣ୍ଡେ ଦେବାର ଅଧିକାର ବି ପାଇ ନାହାନ୍ତି ଦନ୍ତାରିନାଳ ଲୋକ । ବାରମ୍ବାର ଗୁହାରି କରିବା ପରେ ବି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ବିଦ୍ୟୁତ ଓ ପାନୀୟ ପରି ମୌଳିକ ସୁବିଧାରେ ସୁଧାର ଆସିପାରିନି । ବିଦ୍ୟୁତ ସେବାର ବଞ୍ଚିତ ଗାଁରେ ସଞ୍ଜ ହେଲେ ଡିବିରି ଆଲୁଅ ପାଲଟିଛି ଭରସା । ପାଖରେ ସ୍କୁଲଟିଏ ବି ନାହିଁ କି ଚିକିତ୍ସା ପାଇଁ ସୁବିଧା ନାହିଁ । କୌଣସି କାମ ପାଇଁ ମାଇଲ ମାଇଲ ଦୂରକୁ ଯାଉଛନ୍ତି ଲୋକେ ।

ଗାଁରେ ପାଣି ସମସ୍ୟା ଯୋଗୁ ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ଜୀବନ ବଞ୍ଚିବାକୁ ଅହରହ ସଂଘଷଁ କରୁଥିବା ବେଳେ ସମସ୍ୟା ନେଇ ଲୋକେ ବହୁବାର ଗୁହାରି କରିଛନ୍ତି । ହେଲେ କୌଣସି ସୁଫଳ ମିଳି ନାହି । ତେଣୁ ପ୍ରସାଶନ ଏମାନଙ୍କୁ ସୋରଡା ହେଉ କି ଧରାକୋଟ ବ୍ଲକରେ ସାମିଲ କଲେ ସେମାନେ ସରକାରୀ ସୁବିଧା ପାଇ ପାରନ୍ତେ ଓ ଆଗକୁ ଥିବା ନିର୍ବାଚନରେ ନିଜକୁ ସାମିଲ କରିପାରିବେ ବୋଲି କହିଛନ୍ତି । ସମସ୍ୟା ଭିତରେ ରହିଥିବା ଗାଁର ଲୋକଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇ ସମାଧାନ କରାଯାଇପାରିଲେ ଗ୍ରାମବାସୀ ଉପକୃତ ହୋଇପାରିବେ ।