କନକ ବ୍ୟୁରୋ: କାହାକୁ ଗୁହାରୀ କରିବି । କେହି ମୋ ଦୁଃଖ ଶୁଣିଲେ ନାହିଁ । ଧୁଡୁଧୁଡିଆ ଶରୀରର ବୁଢୀ ମାଆ, କୋହର ସହ ତାର ହକ ମାଗୁଛି । ହକ ତା ନିଜର, ଯାହା ତାକୁ ମିଳିନାହିଁ । ନିଜ ହକ ପାଇଁ ସେ ଏ ବୟସରେ ଏ ଅଫିସରୁ ସେ ଅଫିସକୁ ଯାଉଛି । ଏ ବୟସରେ ଚୌକି ଧରି ନିଜର ହକର ପେନସନ ପାଇବାକୁ ବ୍ୟାଙ୍କକୁ ଯାଉଛି । ଖାଲି ଯେ ବ୍ୟାଙ୍କକୁ ଯାଉଛି ତାହାନୁହେଁ ସରକାରୀ ବାବୁମାନଙ୍କୁ ବି ଗୁହାରୀ କରୁଛି । ହେଲେ ଗଲା ତିନି ମାସ ହେଲା ଫଳ କିନ୍ତୁ ଶୂନ ।
ବୃଦ୍ଧା ଜଣଙ୍କ ହେଉଛନ୍ତି ସୂର୍ଯ୍ୟ ହରିଜନ । ଘର ତାଙ୍କର ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡାରେ । ବୟସ ଆସି ୭୦ ଛୁଇଁଲାଣି । ତାଙ୍କ ଦୁଃଖ ହେଉଛି ହାତର ଫିଙ୍ଗର ପ୍ରିଣ୍ଟ ମିଶୁନଥିବାରୁ ଗତ ୩ ମାସ ହେଲା ସେ ତାଙ୍କ ପେନସନ ଟଙ୍କା ପାଇପାରୁନାହାନ୍ତି । ହେଲେ ସେ ଆଶା ନଛାଡି ନିଜର ପେନସନ ଟଙ୍କା କେମିତି ପାଇବେ ସେଥିପାଇଁ ନିଜ ଘରୁ ବାହାରିପଡିଛନ୍ତି । ଭାଙ୍ଗିଯାଇ ଥିବା ଗୋଡରେ ସେ ଚେୟାରକୁ ସାହାରା କରି ଆଗେଇ ଚାଲିଛନ୍ତି ନିଜର ପ୍ରାପ୍ୟ ପାଇବାକୁ । ସରକାରୀ ବିଧି ବ୍ୟବସ୍ଥାକୁ ଏ ଚିତ୍ର ନିହାତି ପ୍ରଶ୍ନ କରୁଛି ଯେ କଣ ଏ ବୟସରେ ଏ ବୁଢୀମାଆ ତାର ହକ ପାଇଁ ଏମିତି ଲଢେଇ କରିବ ।
ପୂର୍ବରୁ ସୂର୍ଯ୍ୟଙ୍କୁ ହାତାହାତି ପେନସନ ବାବଦ ଟଙ୍କା ମିଳୁଥିଲା । କିନ୍ତୁ ଯେତେବେଳେ ବ୍ୟାଙ୍କ ଜରିଆରେ ଟଙ୍କା ପ୍ରଦାନ କରାଯାଇଥିଲା ସେତେବେଳେ ତାଙ୍କ ହାତର ପିଙ୍ଗର ପ୍ରିଣ୍ଟ କାମ କରିନଥିଲା । ଏହି କାରଣରୁ ବ୍ୟାଙ୍କରୁ ଟଙ୍କା ମିଳିପାରିନଥିଲା । ଏନେଇ ସେ ପଞ୍ଚାୟତ ଠାରୁ ନେଇ ବ୍ଲକରେ ମଧ୍ୟ ଜଣାଇଥିଲେ । ହେଲେ ବି ତାଙ୍କୁ ତାଙ୍କ ପ୍ରାପ୍ୟ ମଳିପାରିନାହିଁ । ସୂର୍ଯ୍ୟଙ୍କ ଦୁଇ ପୁଅ ମଧ୍ୟରୁ ବଡ ପୁଅ ସୀତାରାମ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି । ସାନ ପୁଅ ମଶୁରାମ ଗାଁରେ ଗାଇ ଚରାଉଛନ୍ତି । ସେଥିରୁ ଯାହା ମିଳିଲା ସେଥିରେ ତାଙ୍କ ମୁହଁକୁ ଦୁଇ ମୁଠା ଅନ୍ନ ଯାଉଛି । ଘର କଥା ନକହିବା ଭଲ । ଏହି ଘରେ ଚଳୁଛି ପୂରା ପରିବାର । ଏ ବାବଦରେ ଯେତେବେଳେ ଆମେ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ।
ସରକାର ଅନେକ ଯୋଜନା କରୁଛନ୍ତି ହେଲେ, ଏ ଯୋଜନା କାହା ପାଇଁ । ଏଠି ୭୦ବର୍ଷ ବୟସରେ ସୂର୍ଯ୍ୟଙ୍କୁ ପେନସନ ପାଇଁ ଚେୟାର ସାହାଯ୍ୟରେ ଯିବାକୁ ପଡୁଛି । ପ୍ରଶାସନିକ ନିରବତା ଆଜି ତାଙ୍କୁ ଏପରି କରିବାକୁ ବାଧ୍ୟକରୁଛି । ଦେଖିବାକୁ ବାକିରହିଲା କେବେ ହକର ପେନସନ ଟଙ୍କା ସୂର୍ଯ୍ୟଙ୍କୁ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/39-3.jpg)