ପୋଲ ନଥିବାରୁ ରୋଗୀଙ୍କ ପାଖରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଭରା ନଈର ପ୍ରଖର ସ୍ରୋତରେ ଖଟିଆରେ ବୁହା ହେଲେ ରୋଗୀ
କନକ ବ୍ୟୁରୋ: ଭରା ନଦୀ । ପାଣିର ପ୍ରଖର ସ୍ରୋତ । ଆଉ ତା ଭିତରେ ଖଟିଆରେ ନଦୀ ପାରି ହେଉଛନ୍ତି ରୋଗୀ । ଆକାକ୍ଷାଂ ଜିଲ୍ଲା କଳାହାଣ୍ଡିରୁ ଆସିଛି ସରକାରଙ୍କ ବିକାଶର ବିକଳ ଚିତ୍ର । ବ୍ରିଜ ନଥିବାରୁ ରୋଗୀଙ୍କ ପାଖକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଭରା ନଈରେ ବିପଦ ସଙ୍କୁଳ ଅବସ୍ଥାରେ ଖଟିଆରେ ବୁହା ହେଲେ ଝାଡ଼ାବାନ୍ତୀ ଆକ୍ରାନ୍ତ ରୋଗୀ । ରାମପୁର ବ୍ଲକର ତଳଝାପି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ରାଣୀ ପଦର ଗାଁରେ ସୁନ୍ଦର ମାଝୀ ଝାଡ଼ା, ବାନ୍ତିରେ ହଠାତ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା । ଏଥିପାଇଁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ମଧ୍ୟ ଆସିଥିଲା । ହେଲେ ରାସ୍ତା ନଥିବାରୁ ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା, ବରଂ ରୋଗୀଙ୍କୁ ଆମ୍ବୁଲାନ୍ସ ପାଖକୁ ଆସିବାକୁ ପଡିଥିଲା । ସଂପର୍କୀୟମାନେ ଭରା ନଈ ପାର କରି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ପରେ ଥୁଆମୁଳା ରାମପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିବା ସୂଚନା ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp