କନକ ବ୍ୟୁରୋ: କାଦୁଅ ପଚପଚ ରାସ୍ତାରେ ରୋଗୀ ଓ ପ୍ରସୂତିଙ୍କ ପାଇଁ ଏକମାତ୍ର ସାହାଭରସା ପାଲଟିଛି ଖଟିଆ । ରାସ୍ତା ନଥିବାରୁ ରୋଗୀଙ୍କୁ ୪ କାନ୍ଧରେ ବୋହିବାକୁ ପଡୁଛି । ଦେବଗଡ଼ ତିଲେଇବଣୀ ବ୍ଲକ ରାମଚନ୍ଦ୍ରପୁର ଗାଁର ଜାଉନି ତିଗା କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ତେବେ ବୁଧବାର ସନ୍ଧ୍ୟାରେ ସେ ଗୁରୁତର ହେବା ପରେ ତାଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଗ୍ରାମବାସୀ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆସିପାରି ନଥିଲା ଆମ୍ବୁଲାନ୍ସ । ଫଳରେ ରୋଗୀଙ୍କୁ ଖଟିଆରେ ୧ କିଲୋମିଟର ଯାଏଁ ବୋହି ନେଇଥିଲେ ଗ୍ରାମବାସୀ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି । ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ ଦେବଗଡ଼ ଜିଲ୍ଲାର ଅନେକ ଗାଁକୁ ରାସ୍ତା ନଥିବାରୁ ଏଭଳି ସମସ୍ୟା ଭୋଗୁଛନ୍ତି ଲୋକେ । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ପ୍ରତି ଗାଁକୁ ରାସ୍ତା ସଂଯୋଗ କରିବାକୁ ଦାବି ହୋଇଛି ।