କୋଭିଡ ସେଣ୍ଟରରୁ ଗାଏବ ହୋଇଗଲେ ରୋଗୀ । ବୃଦ୍ଧ ବାପାଙ୍କୁ ଖୋଜୁଛି ପୁଅ, ୫ ଦିନ ପରେ ବି ମିଳୁନି ପତା, ଅନୁଗୁଳ ସଦର ଥାନାରେ ଦେଲେ ଲିଖିତ ଅଭିଯୋଗ ।

233

କନକ ବ୍ୟୁରୋ: କୋଭିଡ ସେଂଟରରୁ ଗାଏବ ହୋଇଗଲେ ଆକ୍ରାନ୍ତ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଆନୁଗୁଳ ଛେଣ୍ଡିପଦା ଅଂଚଳରୁ । ଏପରିକି କୋଭିଡ ସେଂଟରରୁ ବାପା ଗାଏବ ହୋଇଯିବା ନେଇ ଥାନାରେ ମାମଲା କରିଛନ୍ତି ପୁଅ । ଅନୁଗୁଳ ପରା ଗାଁର ଗୋବିନ୍ଦ ପ୍ରଧାନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଗତ ୩୦ ତାରିଖରେ ତାଙ୍କ ପୁଅ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ତାଙ୍କର ପରୀକ୍ଷା ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଆଦର୍ଶ କୋଭିଡ କେୟାର ସେଂଟରରେ ଭର୍ତି କରାଯାଇଥିଲା ।

ତେବେ ବାପାଙ୍କୁ ସ୍ଥାନାନ୍ତର ପରେ ପୁଅ ଯୁଗଳ ପରଦିନ ସେଠାରେ ପହଂଚି ଏକ ମୋବାଇଲ ଫୋନ ଦେଇଆସିଥିଲେ । ଦରକାର ହେଲେ ଏହି ମୋବାଇଲରୁ ଫୋନ କରିବା ପାଇଁ କହିଆସିଥିଲେ । ହେଲେ ପରଦିନ ଝିଅ ପୋନ କରିବାରୁ ତାଙ୍କୁ ଅଲଗା କେଉଁଆଡେ ସ୍ଥାନାନ୍ତର କରାଯାଉଥିବା ଝିଅଙ୍କୁ କହିଥିଲେ ଗୋବିନ୍ଦ । ଏହାପରେ ଯୁଗଳ ଯେତେ ଫୋନ କଲେ ମଧ୍ୟ ଆଉ ବାପାଙ୍କ ଫୋନ ଲାଗିନଥିଲା । ତେଣୁ ବ୍ୟସ୍ତହୋଇ ସେ ଆଦର୍ଶ କୋଭିଡ କେୟାର ସେଂଟରରେ ପହଂଚି ବାପାଙ୍କ ବାବଦରେ ପଚରା ଉଚରା କରିବାରୁ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ପାଇଥିଲେ । ହେଲେ ସେଠାରେ ମଧ୍ୟ ବାପାଙ୍କ ପତା ମିଳିନଥିଲା । ବାପାଙ୍କୁ ନପାଇ ସବୁଆଡୁ ନିରାଶ ହେବାପରେ ଯୁଗଳ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ଏହି ପୁରା ମାମଲାରେ ଅନୁଗୁଳ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ । ମାମଲା ଥାନାରେ ପହଂଚିଥିବାରୁ ଏନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିବ ବୋଲି ଆମେ ଆଶା କରୁଛୁ ।

Comments are closed.