ଦୋଛକିରେ ଦଳୀୟ କର୍ମୀ ? ଦ୍ୱନ୍ଦ୍ୱରେ ପକାଇ ଦେଲା ମେଂଟ ଚର୍ଚ୍ଚା !

219

କନକ ବ୍ୟୁରୋ: ବିଜେଡି-ବିଜେପି ମେଂଟ ଚର୍ଚ୍ଚା ଭିତରେ ସବୁଠୁ ଅଧିକ ଦ୍ୱନ୍ଦ୍ୱରେ ଏବେ ଦଳୀୟ କର୍ମୀ । ବର୍ଷ ବର୍ଷ ଧରି ଗୋଟିଏ ଦଳ ପାଇଁ, ଦଳର ନେତାଙ୍କ ପାଇଁ କାମ କରୁଥିବା କର୍ମୀ ଏବେ ଆଶଙ୍କାରେ ଅଛନ୍ତି ତାଙ୍କର ଭୂମିକା କ’ଣ ହେବ । ଯେଉଁ ଦଳ ବିରୁଦ୍ଧରେ ବିଶୋଦଗାର କରୁଥିଲେ, ସେଇ ଦଳର ନେତାଙ୍କ ବିରୁଦ୍ଧରେ ଆଉ ପାଟି ଖୋଲି ପାରିବେ ନାହିଁ । କେବଳ ଦଳୀୟ କର୍ମୀ କାହିଁକି ମେଂଟକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ବି ମତ ପ୍ରକାଶ ପାଉଛି । ବିଶେଷ କରି ସୋସିଆଲ୍ ମିଡ଼ିଆରେ ମତ ରଖି ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁଛନ୍ତି ।

ଫାଇନାଲ । ଲୋକସଭା: ୧୪-୭ । ବିଧାନସଭ: ୯୮-୪୯ । ଆସନ ଭାଗବଂଟାକୁ ନେଇ ସୋସିଆଲ ମିଡ଼ିଆରେ ନିହାର ପଡ଼ିହାରି ତାଙ୍କ ମତ ରଖିଛନ୍ତି । ଚତୁରଲୋକ ରାଜନୀତି କରନ୍ତି । ବୋକାଲୋକ ରାଜନୀତି ବାବଦରେ ଆଲୋଚନା କରନ୍ତି । ମୁର୍ଖଲୋକ ରାଜନୀତି ପାଇଁ ସମ୍ପର୍କ ଖରାପ କରନ୍ତି । ମେଂଟ ସମ୍ପର୍କରେ ମତ ରଖିବାକୁ ଯାଇ ଏଭଳି ଲେଖିଛନ୍ତି ପ୍ରଣବ ନାୟକ ।

ମୋର ଓଡ଼ିଶା ରାଜନୀତିରୁ ମୋହଭଙ୍ଗ ହୋଇଗଲା । ଭୋଟ ସମୟରେ ଦୁବାଇ ବୁଲିଯିବା ପାଇଁ ପ୍ଲାନଂ କରୁଛି । ବିଜେଡି-ବିଜେପି ମେଂଟ ଚର୍ଚ୍ଚା ଭିତରେ ଇଏ ହେଉଛି ସବ୍ୟସାଚୀ ଅମିତାଭଙ୍କ ମତ । ଏଭଳି ମତାମତ ହିଁ ବୟାନ କରୁଛି, ମେଂଟ ରାଜନୀତି ଖବରରେ ସାଧାରଣ ଜନତା କେତେ ନିବୀଡ଼ ଭାବେ ଜଡ଼ିତ ଅଛନ୍ତି । କିଏ ଭାଗବଂଟାକୁ ନେଇ ନିଜସ୍ୱ ଢ଼ଙ୍ଗରେ ଆକଳନ କରୁଛି, ତ ଆଉ କିଏ ମେଂଟକୁ ନେଇ ବିତୃଷ୍ଣା ଭାବ ରଖୁଛି । ଆଉ ଏସବୁ ଭିତରେ ସବୁଠୁ ଅଧିକ ଦ୍ୱନ୍ଦ୍ୱରେ ଏବେ ଦଳୀୟ କର୍ମୀ ।

ବର୍ଷ ବର୍ଷ ଧରି ଗୋଟିଏ ଦଳ ପାଇଁ ଏବଂ ଦଳର ନେତାଙ୍କ ପାଇଁ କାମ କରୁଥିବା କର୍ମୀ ଏବେ ଆଶଙ୍କାରେ ଅଛନ୍ତି ତାଙ୍କର ଭୂମିକା କ’ଣ ହେବ । ଯେଉଁ ଦଳ ବିରୁଦ୍ଧରେ ଗାଁ-ଗାଁ, ଘର-ଘର ବୁଲି ଲୋକଙ୍କୁ ବୁଝାଉଥିଲେ, ସେଇ ଦଳ ଦଳ ସହ ମେଂଟ ହୋଇଯିବା ପରେ ସେମାନେ କ’ଣ କରିବେ ଚିନ୍ତାରେ ଅଛନ୍ତି । କିଛି କର୍ମୀ ଅଛନ୍ତି ସିଏ ବିଜେଡିର ହୁଅନ୍ତୁ ବା ବିଜେପିର ହୁଅନ୍ତୁ, ମେଂଟ କଥାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ।

କେବଳ କର୍ମୀ କାହିଁକି ତୃଣମୂଳ ସ୍ତରରେ ଦଳର ନେତୃତ୍ୱ ଦେଉଥିବା ସ୍ଥାନୀୟ ନେତା ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି । ଚୁଡ଼ାନ୍ତ ନିଷ୍ପତି ଆସିବା ପୂର୍ବରୁ ଏବେ ଦଳୀୟ ଆଭିମୁଖ୍ୟ ନେଇ ସ୍ଥାନୀୟ ନେତା ଓ କର୍ମୀଙ୍କ ଭିତରେ ନିରୁତ୍ସାହ ଭାବ ଆସିଗଲାଣି ବୋଲି କହିଛନ୍ତି । ଦିଲ୍ଲୀ ଓ ଭୁବନେଶ୍ୱରରେ ବସି ନେତା ନେଉଥିବା ନିଷ୍ପତି ତାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ବୋଲି ମତ ରଖିଛନ୍ତି ।

ଯଦିଓ ମେଂଟ ହେବା ଚୁଡ଼ାନ୍ତ ହୋଇସାରିଛି, ତଥାପି ମେଂଟର ରୂପରେଖ ଓ ଆଭିମୁଖ୍ୟ କ’ଣ ହେବ ତାହା ସ୍ପଷ୍ଟ ହୋଇନାହିଁ । ଆଉ ଏହା ପୂର୍ବରୁ ଦଳୀୟ ନେତା ଓ କର୍ମୀଙ୍କ ସମେତ ସାଧାରଣ ଜନତାଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଆସିବାରେ ଲାଗିଛି । ତେବେ ଦେଖିବାର କଥା ନିର୍ବାଚନ ସମୟରେ ଏହି ସବୁ ବୟାନବାଜିର ଫଳ କେଉଁ ଢ଼ଙ୍ଗରେ ସାମ୍ନାକୁ ଆସୁଛି ।