ପଦାରେ ପଡିଲା କଂଗ୍ରେସ ଶାସିତ ରାଜ୍ୟରେ ଦଳୀୟ କନ୍ଦଳ । ଛତିଶଗଡରେ ମୁଖ୍ୟମନ୍ତ୍ରୀ ଆଶନ ପାଇଁ ଭୂପେଶ ବାଘେଲ ଓ ଟିଏସ ସିଂହଦେଓଙ୍କ ମଧ୍ୟରେ ଟଣାଓଟରା

142

କନକ ବ୍ୟୁରୋ: କଂଗ୍ରେସ ଶାସିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଗାଦି ନେଇ ବିବାଦ । ଗୋଟିଏ ପଟେ ପଂଜାବରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଓ ପିସିସି ସଭାପତି ନବଜୋତ୍ ସିଂହ ସିଦ୍ଧୁଙ୍କ ମଧ୍ୟରେ ରାଜ୍ୟ ରାଜନୀତିକୁ ନେଇ କନ୍ଦଳ ଚାଲିଥିବାବେଳେ, ଛତିଶଗଡରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ନେତୃତ୍ୱ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଭୂପେଶ ଭାଘେଲଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେଓ । ସେପଟେ ରାଜସ୍ଥାନରେ ମଧ୍ୟ ପଦାରେ ପଡିଛି କଂଗ୍ରେସର ଦଳୀୟ କନ୍ଦଳ ।

ଛତିଶଗଡରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ବରିଷ୍ଠ ନେତାଙ୍କ କଳି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ବି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ଟିଏସ ସିଂହଦେଓଙ୍କ ମଧ୍ୟରେ ବିବାଦର ସମାଧାନ ହୋଇପାରୁନାହିଁ । ବର୍ତମାନ ସୁଦ୍ଧା ବାଘେଲ ଛତିଶଗଡର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ ବୋଲି ଦଳ ପକ୍ଷରୁ ନିଷ୍ପତି ନିଆଯାଇଛି । ହେଲେ ସେପଟେ ନାୟ ନମିଳିବା ଯାଏଁ ଦିଲ୍ଲୀରେ ଡେରା ଜମାଇବେ ବୋଲି ସ୍ଥିର କରିଛନ୍ତି ଟିଏସ ସିଂହଦେଓ । ୨୦୧୮ରେ ଛତିଶଗଡରେ କଂଗ୍ରେସ ସରକାର ଗଢିବା ସମୟରେ ୫୦-୫୦ ଫର୍ମୁଲାରେ ବାଘେଲ ଓ ସିଂହଦେଓ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତି ହୋଇଥିଲା । ବାଘେଲଙ୍କ ମୁଖ୍ୟମନ୍ତ୍ରୀ ହେବାର ଅଢେଇ ବର୍ଷ ହୋଇଥିଲେ ବି ତାଙ୍କୁ ଇସ୍ତଫା ଦେବାକୁ ନକହିବା ଯାଏ ସେ ପଦ ଛାଡିବେନି ବୋଲି କହିଛନ୍ତି ।

ଛତିଶଗଡ ପରି ପଂଜାବରେ ମଧ୍ୟ ଦଳୀୟ କନ୍ଦଳ କଂଗ୍ରେସ ମୁଖିଆଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ସିଦ୍ଧୁଙ୍କୁ ପଂଜାବ କଂଗ୍ରେସର ଅଧ୍ୟକ୍ଷ ପଦ ଦିଆଯାଇଥିବାବେଳେ ତାଙ୍କୁ କୌଣସି ନିଷ୍ପତି ନେବାକୁ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅନେକ ମନ୍ତ୍ରି ଓ ବିଧାୟକ ବିଦ୍ରୋହ ଆରମ୍ଭ କରିଦେଲେଣି । ଏହାରି ଭିତରେ ସବୁ ସମସ୍ୟାକୁ ନେଇ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ପଂଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ । ରାଜ୍ୟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସର ଦଳୀୟ କନ୍ଦଳର ଫାଇଦା ଉଠାଇ ପାରନ୍ତି ବିରୋଧି ଦଳ ।

ପଂଜାବ ଓ ରାଜସ୍ଥାନ ଭଳି ରାଜସ୍ଥାନରେ ମଧ୍ୟ ଦଳୀୟ କନ୍ଦଳ ଲାଗି ରହିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ପଦକୁ ନେଇ ଟଣା ଓଟରା ଲାଗି ରହିଛି । କଂଗ୍ରେସ ଶାସିତ ରାଜ୍ୟ ଗୁଡିକରେ ନେତୃତ୍ୱକୁ ନେଇ ଲାଗିରହିଥିବା ବିବାଦ ଦଳ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି । ଆଉ ଏହି ପ୍ରସଙ୍ଗ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନବେଳେ କଂଗ୍ରେସକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି ।