କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଚଳଚଂଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ଏହି ପରିପ୍ରେକ୍ଷୀରେ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆସନ୍ତାକାଲି ଠାରୁ ପ୍ରତି ପଂଚାୟତରେ ବୁଲିବ ପ୍ରଚାର ରଥ । ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଦିନ ବ୍ଲାଙ୍କେଟ ସିକ୍ୟୁରିଟି ଭିତରେ ରହିବ ଶ୍ରୀକ୍ଷେତ୍ର । ସେପଟେ ସମଙ୍ଗ ଠାରେ ନୂଆକରି ହୋଇଥିବା ପାର୍କିଂ ସ୍ଥଳରେ ପାର୍କିଂ କରି ସେହିଠାରୁ ହିଁ ଜଗନ୍ନାଥବଲ୍ଲଭ ଓ ଶ୍ରୀଦାଣ୍ଡ ଦେଇ ପ୍ରକଳ୍ପ ଦେଖିବାକୁ ଯିବେ ନିମନ୍ତ୍ରିତ ଭକ୍ତ ।

ପୁରୀରେ ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଛନ୍ତି ମୁଖ୍ୟ ଶାସନ ସଚିବ । ପୁରୀ ଗସ୍ତରେ ଯାଇଥିବା ମୁଖ୍ୟ ଶାସନ ସଚିବ ପ୍ରକଳ୍ପ, ଶ୍ରୀଦାଣ୍ଡ, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବୁଲି ଦେଖିଛନ୍ତି । ଏହା ସହ ସମଙ୍ଗରେ ହୋଇଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ସେହିପରି ଦେଶ ବିଦେଶରୁ ଆସିବାକୁ ଥିବା ଭକ୍ତଙ୍କ ପାଇଁ କ’ଣ କ’ଣ ସୁବିଧା କରାଯାଇଛି, ସେ ସମ୍ବନ୍ଧରେ ବିସ୍ତୁତ ସୂଚନା ଦେଇଛନ୍ତି ପ୍ରଦୀପ କୁମାର ଜେନା ।

ସେପଟେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା
- ୧୧ ତାରିଖ ସୁଦ୍ଧା ପ୍ରକଳ୍ପର କାର୍ଯ୍ୟ ପ୍ରଶାସନକୁ ହସ୍ତାନ୍ତର କରାଯିବ
- ୧୪ ତାରିଖ ସୁଦ୍ଧା ପୋଲିସ ପ୍ରଶାସନକୁ ସୁରକ୍ଷା ବ୍ୟବସ୍ତା ହସ୍ତାନ୍ତର କରାଯିବ
- ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଶୌଚାଳୟ ଓ ବିଶ୍ରାମଗାରର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ
- ଜାନୁଆରୀ ୧୨ ତାରିଖରେ ଶ୍ରୀସେତୁର ତୋରଣ ଲୋକାର୍ପିତ ହେବ
- ବ୍ଲାନ୍କେଟ୍ ସୁରକ୍ଷା ଭିତରେ ରହିବ ପୁରୀ
- ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
- ସିସିଟିଭି ବଳୟରେ ରହିବ ପୂରା ସହର
- ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
- ବିଭିନ୍ନ ସ୍ଥାନରେ ମହଜୁଦ ରହିବେ ଅଗ୍ନିଶମ ଅଧିକାରୀ

ସେପଟେ ପଟେ ଆସନ୍ତାକାଲି ଠାରୁ ପ୍ରତି ପଂଚାୟତରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପରେ ଭକ୍ତଙ୍କ ଠାରୁ ସଂଗୃହୀତ ଗୁଆ, ଚାଉଳ ଗୁଡ଼ିକୁ ମହାପ୍ରଭୁଙ୍କ କାର୍ଯ୍ୟରେ ବ୍ୟବହୃତ କରାଯିବ ।

ଆସନ୍ତା ଜାନୁଆରୀ ୧୭ ତାରିଖରେ ଗୋଟିଏ ପଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଥିବା ବେଳେ ଅନ୍ୟପଟରେ ସମଙ୍ଗର ବିଶ୍ୱସ୍ତରୀୟ ପାର୍କିଂ ଓ ଓଡ଼ିଶାର ପ୍ରଥମ ଟ୍ରମ୍ପେଟ୍ ବ୍ରିଜ ଶ୍ରୀସେତୁ ମଧ୍ୟ ଲୋକାର୍ପିତ ହେବ ।