ଶିଶୁର ଶବକୁ କାନ୍ଧରେ ବୋହି ନେଉଥିଲେ ବାପା-ମା’ : ନିଜ କାର୍‌ରେ ଘରେ ଛାଡ଼ିଲେ ଯୁବକ

160

କନକ ବ୍ୟୁରୋ : କିଛି ବ୍ୟକ୍ତିଙ୍କ ମହନୀୟତା ଯୋଗୁଁ ତଥାପି ବଂଚିଛି ମାନବିକତା । ନିଜର ୭ ବର୍ଷର ଶିଶୁପୁତ୍ରର ଶବକୁ ତା’ର ବାପା କାନ୍ଧରେ ବୋହି ଘରକୁ ଯାଉଥିବାବେଳେ ସହୃଦୟତା ଦେଖା‌ଇ ଜଣେ ଯୁବକ ତାଙ୍କ କାର୍‌ରେ ନେଇ ଘରେ ଛାଡ଼ିବା ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଂଚଳରେ ଚର୍ଚ୍ଚା‌ର ବିଷୟ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଡ଼ ଗ୍ରାମର ଶେଷଦେବ ପ୍ରଧାନଙ୍କ ୭ ବର୍ଷର ପୁଅ ରାଜେନ୍ଦ୍ରର ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ମଙ୍ଗଳବାର ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।

ତେବେ ଶବ ଘରକୁ ନେବା ଲାଗି ତାଙ୍କୁ ମହାପ୍ରଣାୟ ଗାଡ଼ି ମିଳିଲାନି । ଆଉ ଗାଡ଼ିଭଡ଼ା କରି ପୁଅର ମୃତଦେହ ଘରକୁ ନେବାପାଇଁ ଅର୍ଥ ନଥିବାରୁ ବାପା ଶେଷଦେବ କାନ୍ଧରେ ବୋହି ଚାଲିଚାଲି ଘରକୁ ଯାଉଥିଲେ । ପଛେପଛେ କାନ୍ଦି କାନ୍ଦି ଚାଲିଥିଲେ ମା’ । ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖି ପୁରୁଣାକଟକର ପ୍ରଦୀପ ଛତ୍ରିଆ ବାଟରେ ସେମାନଙ୍କୁ ଅଟକାଇଥିଲେ । ଆଉ ନିଜ କାର୍‌ରେ ଶିଶୁର ଶବ ସହିତ ତା’ର ବାପାମାଙ୍କୁ ନେଇ ମୂଷାଡ଼ ଗ୍ରାମରେ ଛାଡ଼ିଥିଲେ । ପ୍ରଦୀପଙ୍କ ଏହି ମହନୀୟ କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଇଛି । ମୃତ ଶିଶୁର ପରିବାର ଲୋକ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଅନ୍ତ୍ୟେଷ୍ଟିକ୍ରିୟା‌ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Comments are closed.