କନକ ବ୍ୟୁରୋ: ପରିବାର ସ୍ଥିର କରିଥିବା ପୁଅ ସହ ବାହାଘର ହୋଇସାରିଥିଲା । ରିସେପ୍ସନର ଠିକ୍ ପରଦିନ ବେଶ ଉତ୍ସାହର ସହ ମିଳିଥିବା ଉପହାର ଖେଳୁଥିଲେ ସ୍ୱାମୀ । ସାଥୀରେ ଥିଲେ ସ୍ୱାମୀଙ୍କ ଭାଇ । ଉପହାରରେ ଆସିଥିବା ହୋମ ଥିଏଟର ଦେଖି ଉତ୍ସାହ ସହ ଖୋଲିଥିଲେ । ଆଉ ଯେତେବେଳେ ହୋମ୍ ଥିଏଟର ଚାଲୁ କରିବା ପାଇଁ ବିଜୁଳି ସଂଯୋଗ କରିବା ପାଇଁ ପ୍ଲଗ୍୍ ସହ ଯୋଡ଼ିଥିଲେ, ଅଚନାକ୍ ହୋଇଥିଲା ବିସ୍ଫୋରଣ ।

Advertisment

ପୁରୁଣା ପ୍ରେମିକ ପଠାଇଥିବା ପାର୍ସଲ ବୋମାରେ ଚାଲିଯାଇଛି ପ୍ରେମିକାଙ୍କ ସ୍ୱାମୀଙ୍କ ଜୀବନ । ଛତିଶଗଡର କଓର୍ଧା ଜିଲ୍ଲାରେ ଘଟିଥିବା ଏହି ଘଟଣା ଯେତିକି ସମ୍ବେଦନଶୀଳ, ସେତିକି ହୃଦୟବିଦାରକ । ମଧ୍ୟପ୍ରଦେଶ ବାଲାଘାଟ୍ ଜିଲ୍ଲା ମଣ୍ଡିଗା ଗାଁର ୩୩ ବର୍ଷିୟ ମାର୍କମ ୨୯ ବର୍ଷିୟ ଜଣେ ଝିଅଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଏହି ଘରେ ସ୍ତ୍ରୀ ଓ ଦୁଇ ଛୁଆ ଥିବା ସତ୍ୱେ ନିଜ ପ୍ରେମିକାକୁ ବିବାହ କରିବାକୁ ଚାହୁଁଥିଲେ ମାର୍କମ । ପ୍ରେମିକାଙ୍କ ଘର ଲୋକ କିନ୍ତୁ ଏ କଥାରେ ରାଜି ହୋଇନଥିଲେ । ନିଜ ଝିଅର ବାହାଘର ଛତିଶଗଡ଼ କଓର୍ଥା ଜିଲ୍ଲା ଚମିରା ଗାଁର ହେମେନ୍ଦ୍ରଙ୍କ ସହ ଠିକ୍ କରିଦେଇଥିଲେ ପରିବାର ଲୋକ । ଏ କଥାକୁ ସହି ପାରିନଥିଲେ ପ୍ରେମିକ । ଆଉ ପ୍ରତିଶୋଧ ନେବାପାଇଁ ରଚିଥିଲେ ସାଂଘାତିକ ଷଡଯନ୍ତ୍ର ।

ମାର୍ଚ୍ଚ ୩୧ରେ ବାହାଘର । ଏପ୍ରିଲ ୧ ତାରିଖରେ ରିସେପ୍ସନ । ସବୁକିଛି ଖୁସିରେ ସରିଯିବା ପରେ ୩ ତାରିଖରେ ଖୋଲିଥିଲେ ଉପହାର । ଯେଉଁଥିରେ ଥିଲା ପ୍ରତିଶୋଧର ବିସ୍ଫୋରକ ଉପହାର । ଏହି ବିସ୍ଫୋରଣରେ ସେହି ଯୁବତୀଙ୍କ ସ୍ୱାମୀ ଏବଂ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ବିବାହିତ ପ୍ରେମିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ସ୍ଥାନୀୟ ପୁଲିସ ।

ସୂଚନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ମାର୍କମ ପୂର୍ବରୁ ଏକ କ୍ରସର ପ୍ଲାଣ୍ଟର ବ୍ଲାଷ୍ଟିଂ ଡିପାର୍ଟମେଣ୍ଟରେ କାମ କରୁଥିଲେ । ବମ୍ ତିଆରି କରିବା କାମ ସେ ପ୍ରଥମରୁ ହିଁ ଜାଣିଥିଲେ । ଯେଉଁ ତାଲିମକୁ ପ୍ରତିଶୋଧ ନେବା ପାଇଁ ବ୍ୟବହାର କରିଥିବା ପୁଲିସ୍ ସୂଚନା ଦେଇଛି ।