ସାତବର୍ଷ ଧରି ମା’ କାଖରେ ସ୍କୁଲ ଆସୁଛି ଦିବ୍ୟାଙ୍ଗ ଝିଅ  । ଭିନ୍ନକ୍ଷମ ପ୍ରମାଣପତ୍ର ପାଇବା ସତ୍ତ୍ୱେ ମିଳିପାରିନାହିଁ ଟ୍ରାଇ ସାଇକେଲ କି ଭତ୍ତା

72

କନକ ବ୍ୟୁରୋ: ସାତବର୍ଷ ଧରି ମା କାଖରେ ସ୍କୁଲ ଆସୁଛି ଦିବ୍ୟାଙ୍ଗ ଝିଅ । ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇବି ମିଳିନି ଦିବ୍ୟାଙ୍ଗ ଭତ୍ତା କି ଟ୍ରାଇ ସାଇକେଲ । ଏପରି ଦୁଃଖଦ ଖବର ଆସିଛିି ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କଣ୍ଟିଗଡିଆ ଗାଁରେ । କଣ୍ଟିଗଡିଆ ଗାଁର ପ୍ରଶାନ୍ତ ମଲିକ ଓ ପ୍ରଭାତୀ ମଲିକଙ୍କ ଝିଅ ଲିଜା । ବାପା ପ୍ରଶାନ୍ତ ଜଣେ ଦିନ ମଜୁରିଆ । ମୂଲ ମଜୁରୀ ଲାଗି ପରିବାରର ପ୍ରତିପୋଷଣ କରିଥାନ୍ତି । ତାଙ୍କ ଝିଅ ଲିଜା ଶାରିରୀକ ଅକ୍ଷମତା ପାଇଁ ଠିକରେ ଚଲାବୁଲା କରିପାରନ୍ତି ନାହିଁ । କିନ୍ତୁ ପାଠପଢ଼ା ପ୍ରତି ବେଶ୍ ଆଗ୍ରହ ରହିଥିବାରୁ ମା’ ତା’କୁ କାଖରେ ଧରି ଘର ପ୍ରତିଦିନ ଗାଁ ସ୍କୁଲକୁ ନେବା ଆଣିବା କରିଥାନ୍ତି ।

ଲିଜା ଏବେ କଣ୍ଟିଗଡିଆ ମଧୁକେଶ୍ୱର ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ରୀ । ଝିଅର ପାଠପଢା ପ୍ରତି ଆଗ୍ରହ ଦେଖି ଟ୍ରାଇସାଇଲେଟିଏ ଯୋଗାଇ ଦେବା ସହ ଭତ୍ତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଲିଜାର ମା’ । ଦୁଇବର୍ଷ ତଳୁ ଲିଜାକୁ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିସାରିଛି । ଭତ୍ତା ପାଇବା ପାଇଁ ଦେଢବର୍ଷ ତଳୁ ଧର୍ମଶାଳା ବ୍ଲକରେ ଆବେଦନ କରିଥିଲେ ମଧ୍ୟ ଭତ୍ତାଟିଏ ଯୋଗାଇ ଦିଆଯାଇନାହିଁ । ଲିଜାଙ୍କର ଏପରି ସମସ୍ୟା ନେଇ ଯାଜପୁରର ଅତିରିକ୍ତ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ପ୍ରଶାସନ ଗଣମାଧ୍ୟମରୁ ଏକଥା ଜାଣିଲେ ବୋଲି କହିବା ସହ ତୁରନ୍ତ ଟ୍ରାଇ ସାଇକେଲ ଓ ଭତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।