ମାତିଲେ ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତବାସୀ । ମୋବାଇଲ ଟାୱାର ସ୍ଥାପନ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟରେ ପକାଇଲେ ତାଲା

50

କନକ ବ୍ୟୁରୋ: ମୋବାଇଲ ଟାୱାର ସ୍ଥାପନ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ ।  ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତରୁ ଆସିଛି ଏପରି ଖବର । ପଞ୍ଚାୟତରେ ଦୀର୍ଘ ଦିନ ହେବ ମୋବାଇଲ ଟାଓ୍ୱାର ସ୍ଥାପନ ପାଇଁ ଦାବି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ନିର୍ମାଣ ହୋଇ ପାରିନାହିଁ । ଅନ୍ୟପଟେ ବାରମ୍ବାର ଦାବି ପରେ ପଞ୍ଚାୟତ କାର୍ଯ୍ୟଳୟ ପାଖରେ ଏକ ବିଏସଏନଏଲ ଟାୱାର ନିର୍ମାଣ କରାଯାଇଥିଲା । ତେବେ ଏହାକୁ ୩ ବର୍ଷ  ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଅଞ୍ଚଳବାସୀ ବାରାମ୍ବାର ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ବିଧାୟକଙ୍କୁ ଅଭିଯୋଗ କରିଥିଲେ । ୪ମାସ ଭିତରେ ମୋବାଇଲ ଟାୱାର ନିର୍ମାଣ କରାଯିବ ବୋଲି ଗତବର୍ଷ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ  ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନହେବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ପଞ୍ଚାୟତରେ ସ୍ମାର୍ଟ ସ୍କୁଲ, ଏଏନଏମ୍ ସେଣ୍ଟର ପଞ୍ଚାୟତ କାର୍ଯ୍ୟାଳୟର କାମ ଅନଲାଇନରେ ହେଉଥିବାରୁ ନେଟୱର୍କ ନଥିବାରୁ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ପ୍ରଶାସନ ଓ ରାଜନେତା ଆଦୌ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେଣୁ ପଞ୍ଚାୟତରେ ଟାୱାର ନିର୍ମାଣ ଦାବିରେ ନିର୍ମାଣ ଦାବିରେ ଶତାଧିକ ମହିଳା ଓ ପୁରୁଷ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ।