୪୫ ବୁଥରେ ଚାଲିଛି ସାନି ମତଦାନ : ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିଲା ଅନିୟମିତତା; କଡ଼ା ସୁରକ୍ଷା ମଧ୍ୟରେ ପଡ଼ୁଛି ଭୋଟ୍

 କାଲି ଶେଷ ପର୍ଯ୍ୟାୟ ଭୋଟିଂ, ବୁଥକୁ ଯାଉଛନ୍ତି ପୁଲିଂ ଅଧିକାରୀ

70

କନକ ବ୍ୟୁରୋ : ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନ ହୋଇପାରିନଥିବା ୪୫ଟି ବୁଥରେ ଆଜି ସାନି ମତଦାନ ହେଉଛି । ସକାଳ ୯ଟାରୁ ୩ଟା ମଧ୍ୟରେ ଏହି ଭୋଟଦାନ ହେବ । ଏହି ବୁଥଗୁଡିକରେ ଗଣ୍ଡଗୋଳ ଓ ଅନିୟମିତତା ଅଭିଯୋଗ ଆସିବା ପରେ ସାନି ମତଦାନ ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ନିର୍ବାଚନ କମିଶନ । ପ୍ରଥମ ଫେଜରେ ବାତିଲ ହୋଇଥିଲା ଯାଜପୁର ବ୍ଲକର ୯ଟି, ଭଦ୍ରକ ବ୍ଲକର ୪ଟି, ବନ୍ତ ବ୍ଲକର ଗୋଟିଏ, ଗଁଦିଆ ବ୍ଲକର ୪ଟି, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ ଓ କଣାସ ବ୍ଲକର ୩ଟି ମତଦାନ କେନ୍ଦ୍ରରେ ଭୋଟ ହେଉଛି ।

ସେହିଭଳି ଦ୍ୱିତୀୟ ଫେଜରେ ଭୋଟଦାନ ହେଉଥିବା ମତଦାନ କେନ୍ଦ୍ରଗୁଡିକ ମଧ୍ୟରେ ରହିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ୧୦ଟି ଓ ଜଗତସିଂହପୁର ବ୍ଲକର ୩ଟି ବୁଥ । ସେପଟେ ଆସନ୍ତାକାଲି ପଂଚମ ତଥା ଶେଷ ପର୍ଯ୍ୟାୟ ପଂଚାୟତ ଭୋଟ ହେବ । ଏହି ଫେଜରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହେବ । ୯୭୫ ଗ୍ରାମ ପଂଚାୟତର ୧୩ ହଜାର ୫୧୪ ବୁଥରେ ଭୋଟ ପଡିବ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଶେଷ ପର୍ଯ୍ୟାୟରେ ଜିତାପଟ ପାଇଁ ପ୍ରାର୍ଥୀ, ଦଳ ଓ କର୍ମୀ ପୁରା ଦମ ଲଗାଇଦେଇଛନ୍ତି ।

ସେପଟେ, ହିଂସାକାଣ୍ଡ, ବୁଥ ଜବର ଦଖଲ, ବାଲାଟ ପେପର ଲୁଟ ଘଟଣାରେ ଯାଜପୁର ଜିଲ୍ଲାରେ ବାତିଲ ହୋଇଥିବା ବେଳେ ଆଜି ୨୪ଟି ବୁଥରେ ସାନି ମତଦାନ ହେଉଛି । ପ୍ରଥମ ପର୍ଯ୍ୟାୟ ମତଦାନ ଯାଜପୁର ଓ ଧର୍ମଶାଳା ବ୍ଲକ, ଦ୍ୱିତୀୟ ପର୍ଯ୍ୟାୟରେ ଦଶରଥପୁର, ବଡ଼ଚଣା, ତୃତୀୟ ପର୍ଯ୍ୟାୟରେ ବିଂଝାରପୁର ଓ କୋରେଇ ବ୍ଲକ ଅଂଚଳରେ ଦେଖା ଦେଇଥିଲା ନିର୍ବାଚନୀ ହିଂସା । ଏହି ସବୁ ବୁଥ ଗୁଡ଼ିକରେ ପୁନଃ ମତଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଯାଇଥିଲା । ଯାହାକୁ ଆଧାର କରି ନିର୍ବାଚନ କମିଶନ ଆଜି ସାନି ମତଦାନ କରୁଛି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଅଲଣ୍ଡା ପଂଚାୟତର ୮ ନମ୍ବର ବୁଥରେ ଚାଲିଛି ପୁନଃମତଦାନ । ଅଲଣ୍ଡାପାଟଣା ପଂଚାତୟତର ଉଚ ବିଦ୍ୟାଳୟରେ ୱାଡ ନମ୍ବର ୮ରେ ସକାଳ ୯ଟାରୁ ଭୋଟ ଦେଉଛନ୍ତି ଭୋଟର । କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ଓ ତହସିଲଦାର ଏବଂ ବିଡିଓ ବୁଥ ଉପରେ ନଜର ରଖିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏଠାରେ ଦେଖା ଦେଇଥିଲା ନିର୍ବାଚନୀ ହିଂସା । ଯାହାକୁ ନଜରରେ ରଖି ଆଜି ପୁନଃ ମତଦାନ କରାଯାଉଛି ।