୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକିଦେଲେ ରାଜକୁମାର । ଘର ନାହିଁ ହୋଟେଲରେ ରହୁଛନ୍ତି ରାଜା

556

କନକ ବ୍ୟୁରୋ : ଆଜିକା ଦିନରେ ନିଜର ଘରଖଣ୍ଡେ ବନାଇବା କେତେ ଯେ କଷ୍ଟ । ଘର ନଥିବାରୁ ଅନେକ ଲୋକ ଶୀତ କାକରରେ ରାସ୍ତା କଡରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି । ଏପରି ସ୍ଥଳେ ଘର ନୁହେଁ ଏକ ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ଜଣେ ରାଜକୁମାର ମାତ୍ର ଭାରତୀୟ ମୁଦ୍ରା ୮୭ ଟଙ୍କାରେ ବିକିଦେବା ଖବର ଆପଣଙ୍କୁ ଚକିତ କରିପାରେ । କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ ।

ବର୍ଲିିନର ଜଣେ ରାଜକୁମାର ତାଙ୍କ ପିତାଙ୍କ ଦ୍ୱାରା ଦିଆଯାଇଥିବା ଏକ ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକି ଦେଇଛନ୍ତି । ଏହି ଖବର ଶୁଣିବା ପରେ ରାଜା ତାଙ୍କ ପୁଅ ନାମରେ ମାମଲା ଦାୟର କରିଛନ୍ତି ।

ଜର୍ମାନ ସହରର ହନୋୱରର ରାଜା ଅର୍ନଷ୍ଟ ଅଗଷ୍ଟ ଜୁନିୟର ନିଜର ୧୩୫ କୋଠରି ବିଶିଷ୍ଟ ରାଜମହଲ ବିକିବା ଖବର ଏବେ ବେସ୍ ଚର୍ଚ୍ଚା ହେବାରେ ଲାଗିଛି । ରାଜା ଅର୍ନଷ୍ଟ ଅଗଷ୍ଟଙ୍କ ‘ମ୍ୟାରିନବର୍ଗ’ ନାମକ ରାଜମହଲକୁ ୨୦୦୦ ମସିହାରେ ରାଜକୁମାର ଅର୍ନଷ୍ଟ ଅଗଷ୍ଟ ଜୁନିୟରଙ୍କୁ ହସ୍ତାନ୍ତର କରିଥିଲେ । ହେଲେ ୧୮ ବର୍ଷ ପରେ ଅର୍ଥାତ ୨୦୧୮ ମସିହାରେ ଅର୍ନଷ୍ଟ ଅଗଷ୍ଟ ଜୁନିୟର ଏହି ରାଜମହଲକୁ ବିକିବାକୁ ଘୋଷଣା କରିଥିଲେ । ହେଲେ ଏହି ମହଲକୁ ନେବାକୁ କେହି ଆଗ୍ରହ ପ୍ରକାଶ ନକରିବାରୁ ସେ ତାକୁ ମାତ୍ର ୮୭ ଟଙ୍କାରେ ବିକ୍ରି କରିଦେଇଛନ୍ତି । ଏନେଇ ସେ କହିଛନ୍ତି କି ଏହି ମହଲର ମରାମତି ପାଇଁ ୨୩ ମିଲିୟନ ପାଉଣ୍ଡର ଆବଶ୍ୟକତା ରହିଛି । ହେଲେ ଏତେ ଗୁଡିଏ ଟଙ୍କା ତାଙ୍କ ପାଖରେ ନଥିବାରୁ ସେ ଏହାକୁ ବାଧ୍ୟ ହୋଇ ବିକ୍ରି କରିଦେଇଛନ୍ତି ।

ଅନ୍ୟପଟେ ରାଜକୁମାରଙ୍କର ଏଭଳି କାରବାର ଦେଖି ଅଷ୍ଟ୍ରିଆର ରାଜା ଏବେ ରାଜକୁମାରଙ୍କ ନାମରେ ମାମଲା ଦାୟର କରିବା ସହ ଏକ ଲଜ୍ ରେ ଭଡା ନେଇ ରହୁଛନ୍ତି । ରାଜା ଅଭିଯୋଗ କରିଛନ୍ତି କି ତାଙ୍କୁ ତାଙ୍କ ପୁଅ ମାନେ ଆର୍ଥିକ ସହାୟତା ଦେଉ ନାହାନ୍ତି । କହିରଖୁ କି ରାଜକୁମାର ଅର୍ନଷ୍ଟ ଅଗଷ୍ଟ ଜୁନିୟର ବ୍ରିଟେନର ରାଣି ଏଲିଜାବେଥ୍ ଙ୍କର କାକା ପୁଅ ଭାଇ ଅଟନ୍ତି ।