ଇମ୍ରାନଙ୍କ ମସ୍କୋ ଗସ୍ତ ନେଇ ମୁହଁ ଖୋଲିଲା ପାକ୍ ସେନା: ଲଜ୍ଜାଜନକ ଘଟଣା ବୋଲି କହିଲେ ମେଜର ଜେନେରାଲ ବାବର

334

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଦିନ ମସ୍କୋ ଗସ୍ତ କରିଥିଲେ ଇମ୍ରାନ ଖାନ । ଏବେ ଇମ୍ରାନଙ୍କ ରୁଷିଆ ଗସ୍ତ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ପାକ୍ ସେନା । ମେଜର ଜେନେରାଲ ବାବରଙ୍କ କହିବା ଅନୁସାରେ, ଇମ୍ରାନ ଖାନଙ୍କ ରୁଷିଆ ଗସ୍ତ ପୂର୍ବ ନିର୍ଦ୍ଧାରିତ ଥିଲା । ଏବଂ ପାକ୍ ସେନା ମଧ୍ୟରେ ଏଥିରେ ତାଙ୍କ ସହ ସାମିଲ ହୋଇଥିଲା । ତେବେ ସେହିଦିନ ରୁଷିଆ, ୟୁକ୍ରେନ ଉପରେ ଆକ୍ରମଣ କରିବ ବୋଲି କେହି କେବେ କଳ୍ପନା ବି କରିନଥିଲା । ତେବେ ଜଣେ ପାକିସ୍ତାନୀ ପ୍ରଧନାମନ୍ତ୍ରୀଙ୍କ ଗସ୍ତ ସମୟରେ ରୁଷିଆ ଏପରି ଆକ୍ରମଣ କରିବା ଲଜ୍ଜାଜନକ ଘଟଣା ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପାଇଁ ବିଦେଶୀ ଶକ୍ତିକୁ ଦାୟୀ କରିଛନ୍ତି ଇମ୍ରାନ । ତାଙ୍କର ରୁଷ ଗସ୍ତକୁ ଆମେରିକା ସହଜରେ ଗ୍ରହଣ କରିପାରି ନାହିଁ ଏବଂ ସେଥିପାଇଁ ତାଙ୍କୁ ଗାଦିରୁ ହଟାଇବାକୁ ଷଡଯନ୍ତ୍ର କରିଥିଲା ବୋଲି ଇମ୍ରାନ ଖାନ ବାରମ୍ବାର କହି ଆସିଛନ୍ତି । ତେବେ ହ୍ୱାଇସ ହାଉସ ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା । ରୁଷିଆର ଆକ୍ରମଣ ଦିନ ଇମ୍ରାନ ଖାନ ମସ୍କୋ ଗସ୍ତକୁ ନେଇ ବେଶ ଚର୍ଚ୍ଚା ଆଲୋଚନା ହୋଇଥିଲା । ଏପରିକି ତାହା ଉଚିତ ସମୟ ନଥିଲା ଏବଂ ଇମ୍ରାନ ତାଙ୍କ ଗସ୍ତ ବାତିଲ କରିବାର ଆବଶ୍ୟକତା ଥିଲା ବୋଲି ଚର୍ଚ୍ଚା ହୋଇଥିଲା ।

ଇମ୍ରାନଙ୍କ ରୁଷିଆ ଗସ୍ତ ବେଳେ ତାଙ୍କ ସହ ପାକିସ୍ତାନ ସେନା ରହିଥିବା କହିଛନ୍ତି ମେଜର ଜେନେରାଲ ବାବର । ଏହାସହ ଗତମାସ ହୋଇଥିବା ନ୍ୟାସନାଲ ସିକ୍ୟୁରିଟି କମିଟି ବୈଠକରେ ଇମ୍ରାନ ଖାନ ଷଡଯନ୍ତ୍ର କଥା କିଛି ଉଠାଇନଥିବା କହିନ୍ତି ମେଜର ଜେନେରାଲ । ଏହାସହ ଇମ୍ରାନଙ୍କ ବିଦେଶୀ ଷଡଯନ୍ତ୍ର କଥାକୁ ଅଗ୍ରାହ୍ୟ କରିଦେଇଛନ୍ତି ମେଜର ଜେନେରାଲ ବାବର ।