ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହକୁ ମିଳିଲାନି ନ୍ୟାୟ । କେନ୍ଦ୍ର ସରକାରଙ୍କ ୭୫ ତମ ସ୍ୱାଧୀନତା ଦିବସ କାର୍ଯ୍ୟସୂଚୀରେ ପାଇଲା ନାହିଁ ସ୍ଥାନ । 

89

କନକ ବ୍ୟୁରୋ: ନ୍ୟାୟ ପାଇଲାନି ପାଇକ ବିଦ୍ରୋହ । ଚଳିତ ବର୍ଷ ଦେଶ ପାଳନ କରୁଛି ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତି । କିନ୍ତୁ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମାନି ନାହାନ୍ତି କେନ୍ଦ୍ର ସରକାର । ବରଂ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମାନ୍ୟତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । 

ଅପରପକ୍ଷେ ପାଇକ ବିଦ୍ରୋହକୁ ବଡ ଧରଣର ଆୟୋଜନ କରିବାକୁ ଅନେକ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ମାର୍ଚ୍ଚ ମାସରୁ ଅଗଷ୍ଟ ମାସ ଯାଏଁ ବହୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଦେଶର କେଉଁ ସ୍ଥାନରେ କି କାର୍ଯ୍ୟକ୍ରମ ହେବ , ତାହାର ଏକ ତାଲିକା ଆପାତତଃ ଚୂଡାନ୍ତ ହୋଇଛି । ପାଇକ ବିଦ୍ରୋହ ସ୍ମୃତିରେ ତାହାର ଏକ କାର୍ଯ୍ୟକ୍ରମ ଭୂବନେଶ୍ୱରରେ ମଧ୍ୟ ରଖାଯାଇଛି । ତେବେ ଗତ ୧୨ ତାରିଖରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ସାବରମତୀରୁ ଆରମ୍ଭ ହୋଇଛି ଅମୃତ ମହୋତ୍ସବ । ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହାର ଶୁଭାରମ୍ଭ କରିଥିଲେ । ଏହା ପରେ ପର୍ଯ୍ୟାୟ କ୍ରମେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ନେଇ କାର୍ଯ୍ୟକ୍ରମ ରଖାଯାଇଛି । 

ମେ ୧୦ ତାରିଖରେ ମିରଟରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଉପଲକ୍ଷେ ବାରାକପୋର ଓ ନୀଲଗଂଜରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା ରହିଛି । ଏହା ସହିତ ଲାଲକିଲ୍ଲାରେ ମଧ୍ୟ ସ୍ୱତନ୍ତ୍ର ଆୟୋଜନ ହେବ । ରାଜ୍ୟ ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରି ଆସୁଛନ୍ତି । ରାଜ୍ୟରେ ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସମର୍ଥନ ମଧ୍ୟ କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ବର୍ତମାନ ଯାଏଁ ଏହାକୁ ଗ୍ରହଣ କରିନାହାନ୍ତି । ତେଣୁ ଓଡିଶାର ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ଉଚିତ୍ ନ୍ୟାୟ ପ୍ରଦାନ କରିନାହାନ୍ତି ବୋଲି କୁହାଯାଉଛି ।