ଲଗାଣ ବର୍ଷାରେ ଧୋଇଗଲା ଭଞ୍ଜନଗରର ପଦ୍ମାନଦୀ ପୋଲ : ୧୦ ଗାଁକୁ ଯାତାୟତ ଠପ୍; ଜୀବନକୁ ବାଜିରେ ଲଗାଇ କରୁଛନ୍ତି ଯାତାୟାତ

89

କନକ ବ୍ୟୁରୋ : ଲଗାଣ ବର୍ଷାରେ ଧୋଇଗଲା ବ୍ରିଜ୍ କଲଭର୍ଟ । ୪୦ରୁ ଅଧିକା ଗାଁ ହେଲା ଜଳମଗ୍ନ । ୩ଦିନ ହେଲା ଲଘୁଚାପ ଜନିତ ବର୍ଷା ଯୋଗୁଁ ଗଂଜାମର ସୋରଡ଼ା ଅଂଚଳ ବେହାଲ ହୋଇପଡ଼ିଛି । ସୋରଡ଼ା ବ୍ରହ୍ମପୁର ଅଂଚଳ ନିକଟସ୍ଥ ଜରଉ ନଦୀରେ ନିର୍ମାଣଧୀନ ବ୍ରିଜର କଲଭର୍ଟ ଭାଙ୍ଗିଯିବାରୁ ୪୦ରୁ ଅଧିକା ଗାଁ ଜଳମଗ୍ନ ହୋଇଛି । ଏହା ସହ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି ।

ସୋରଡ଼ା ବରଗଡ଼କୁ ସଂଯୋଗ କରୁଥିବା ଡ଼ୁମ୍ବୁଳା, ଖାରିଗୁଡ଼ା, ଗୁନାଖାଲ, ହରିପୁର, ମାଣିଆକାଠି, ଜାମଝୋଳି, ଲକ୍ଷ୍ମପୁର ଏବଂ ଧନପୁର ଆଦି ପ୍ରାୟ ୧୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁଁ ବନ୍ୟା ପାଣିରେ ବଡ଼ ବଡ଼ ଗଛ ସବୁ ପୋଲରେ ଲାଗି ରହିଛି । ପାଣି ବଢୁଥିବା ବେଳେ ଲୋକଙ୍କ ସମସ୍ୟା ବଢି ବଢି ଚାଲିଛି । ଲୋକେ ତାଙ୍କର ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ସେହି ବିପଦପୁର୍ଣ୍ଣ ପୋଲ ଉପରେ ପାରି ହୋଇଯାଉଥିବାର ଦେଖିବାକୁ ମିଳିଛି ।

ସେପଟେ ଘଟଣା ସ୍ଥଳରେ ଭଂଜନଗର ଉପଜିଲ୍ଲାପାଳ ପହଂଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଲୋକଙ୍କୁ ବିପଦପୁର୍ଣ୍ଣ ବ୍ରିଜ୍ ଉପରେ ଯାତାୟତ ନକରିବାକୁ ପରାମର୍ଶ ଦେଇଛନ୍ତି । ଲୋକଙ୍କ ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ନଥିବା ବେଳେ ସେମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ବନ୍ୟାଂଚଳ ବାସିନ୍ଦା ।