ଅଦିନିଆ ବର୍ଷାରେ ଭିଜିଲା ଧାନ । ଚିନ୍ତାରେ ଚାଷୀ

90

କନକ ବ୍ୟୁରୋ : ଅଦିନିଆ ବର୍ଷାରେ ଭିଜିଲା ଧାନ । ଭିଜା ଧାନକୁ କିପରି ବିକ୍ରି କରିବ ତାକୁ ନେଇ ଚିନ୍ତାରେ ଚାଷୀ । ପଦ୍ମପୁର ଉପଖଣ୍ଡରେ ଅଦିନିଆ ବର୍ଷା ତଥା ମେଘୁଆ ପାଗ ଯୋଗୁଁ ମଣ୍ଡି ଗୁଡିକରେ ପଡିଥିବା ଧାନ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଚାଷୀମାନେ ପୂର୍ବରୁ ଏହା ଆଶଙ୍କା କରି କିଣିବାକୁ ଦାବି କରିଥିଲେ । ହେଲେ ଟୋକନ ଓ ଟାର୍ଗେଟ ସମସ୍ୟା ତଥା ସରକାରୀ ଆନ୍ତରିକତା ଅଭାବ ଯୋଗୁଁ ଶତାଧିକ ଚାଷୀ ଏହି କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ଚାଷୀମାନେ କହିଛନ୍ତି ।

ଚଳିତ ଖରିଫ ଋତୁରେ ଅଣ ଜଳସେଚିତ ପଦ୍ମପୁର ଉପଖଣ୍ଡରେ ବିପୁଳ ଧାନ ଉତ୍ପାଦନ ହୋଇଥିବା ବେଳେ ଧାନ କିଣାରେ ବିଳମ୍ବ ଯୋଗୁଁ ଅନେକ ଚାଷୀ ଅଭାବୀ ବିକ୍ରି କରିଦେଇଥିଲେ । ଯେଉଁ ଚାଷୀମାନେ ଧାନ ମଣ୍ଡିରେ ରଖି ଏ ପର୍ଯ୍ୟନ୍ତ ବିକ୍ରି କରି ନାହାନ୍ତି ଏହି ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ପାଣିରେ ତିନ୍ତି ଯାଇଛି । ପୁଣି ଗଜା ମାରିବା ପରିସ୍ଥିତି ହେବା ସହିତ ଧାନର ମାନ ମଧ୍ୟ ନଷ୍ଟ ହେବ ବୋଲି ଚାଷୀ ଆଶଙ୍କା କରିଛନ୍ତି । ବହୁ ସ୍ଥାନରେ ମଣ୍ଡି ଭିତିଭୂମି ଠିକ ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ପଦ୍ମପୁର ଉପଖଣ୍ଡର ଅନେକ ଉପାନ୍ତ ଅଂଚଳ ମଣ୍ଡିରେ ହଜାର ହଜାର ଧାନ ପଡି ରହିଛି ।